ବିସ୍ଫୋରଣରେ ପୁଣି ଥରିଲା ଆଫଗାନିସ୍ତାନ ।ଆତଙ୍କୀ ସଂଗଠନ ଆଇଏସଆଇଏସର ଟାର୍ଗେଟରେ କାବୁଲର ଗୁରୁଦ୍ୱାରା ।

155

କନକ ବ୍ୟୁରୋ : ପ୍ରାର୍ଥନସଭାରେ ଫୁଟିଲା ଗୁଳି । ପୁଣି ଅଶାନ୍ତ ହେଲା ଆଫଗାନିସ୍ତାନ ରାଜଧାନୀ କାବୁଲ । କାବୁଲର କର୍ତେ ପରୱାନ୍ ଗୁରୁଦ୍ୱାର ନିକଟରେ ଶନିବାର ୨ ଟି ବିସ୍ପୋରଣ ହୋଇଛି । ତେବେ ଏହି ବିସ୍ପୋରଣ କାରଣରୁ ଏବେ ସୁଦ୍ଧା ୨ ଜଣ ଆଫଗାନୀ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଶନିବାର ସକାଳ ପ୍ରାୟ ୮ଟା । କାବୁଲ କର୍ତେ ପରୱାନ ଗୁରୁଦ୍ୱାରରେ ୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ହଠାତ ଦୋହଲିଲା  ଗୁରୁଦ୍ୱାରା ପରିସର । ଶୁଭିଲା ଗୁଳିମାଡର ପ୍ରଚଣ୍ଡ ଶବ୍ଦା । କେହି କିଛି ବୁଝିବା ଆଗରୁ ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ସବୁ କିଛି ସତେ ଯେମିତି କ୍ଷଣିକ ଭିତରେ ବଦଳିଯାଇଥିଲା । ଏହି ଲୋମହର୍ଷଣକାରୀ ଘଟଣା ସହ ଆଜି ପୁଣି ଥରିଛି କାବୁଲ ।  ଏହି ବିସ୍ପୋରଣ କାରଣରୁ ଏବେ ସୁଦ୍ଧା ୨ ଜଣ ଆଫଗାନୀ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ୬୦ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ଗୁରୁଦ୍ୱାରର ଗାର୍ଡ ଥିଲେ । ତେବେ ବୃଦ୍ଧ ଜଣଙ୍କ ନାଁ ସବିନ୍ଦର ସିଂ ବୋଲି ଜଣାପଡିଛି । ତେବେ ଗୁରୁଦ୍ୱାର ମଧ୍ୟରେ ସକାଳ ପ୍ରାର୍ଥନା କରିବା ପାଇଁ ୨୫ ରୁ ୩୦ ଜଣ ଆଫଗାନୀ ହିନ୍ଦୁ ଓ ଶିଖ୍ ଥିଲେ ।  ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଭାରତୀୟ ସମୟ ଅନୁସାରେ ୮ ଟାରେ ଆଜି ଏକ ବିସ୍ପୋରଣ ହୋଇଥିଲା । ଆଉ ଏହାର ଅଧ ଘଂଟା ମଧ୍ୟରେ ପୁଣି ଥରେ ଏକ ବିସ୍ପୋରଣ ହୋଇଥିଲା । ଏହାଦ୍ୱାରା ଗୁରୁଦ୍ୱାରର ସମସ୍ତ କୋଠରୀରେ ନିଆଁ ଲାଗିଯାଇଥିଲା । ଅନ୍ୟପଟେ ବିସ୍ପୋରଣରେ ସମ୍ପୃକ୍ତ ଆତଙ୍କୀ ଆଫଗାନୀ ସେନା ଦ୍ୱାରା ନିପାତ ହୋଇଛନ୍ତି  ।

ତାଲିବାନୀ ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା ୨ ଜଣ ଆକ୍ରମଣକାରୀଙ୍କୁ କାବୁ କରାଯାଇଛି । ତେବେ ଏହି ଘଟଣାକୁ ନେଇ ଆଫଗାନିସ୍ଥାନର ତାଲିବାନ ସରକାରଙ୍କ ତରଫରୁ କୌଣସି ଅଧିକାରୀସ୍ତରରେ ବୟାନ ଦିଆଯାଇନାହିଁ । ଆତଙ୍କୀ ସଂଗଠନ ଆଇଏସଆଇଏସ  ଖୋରାସନ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।  ବିସ୍ଫୋରଣ ପରେ ଗୁରୁଦ୍ୱାର ଓ ଏହାର ଆଖପାଖ ଅଂଚଳକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି ।  ଆଫଗାନୀ ଶିଖଙ୍କୁ ପ୍ରବେଶ ଅନୁମତି ତାଲିବାନ୍ ସୁରକ୍ଷାକର୍ମୀ ମାନେ ଦେଉନାହାନ୍ତି ବୋଲି ଜଣାପଡିଛି । କିନ୍ତୁ ଗୁରୁଦ୍ୱାରରୁ ସୁରକ୍ଷିତ ଭାବେ ଶ୍ରୀ ଗୁରୁଗ୍ରନ୍ଥ ସାହିବ ସ୍ୱରୁପଙ୍କୁ କଢା ଯାଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ।ସେପଟେ ଦିଲ୍ଲୀ ଗୁରୁଦ୍ୱାରା କମିଟି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ।

କାବୁଲରେ ଆଫଗାନୀ ଶିଖ୍ ଓ ହିନ୍ଦୁଙ୍କ ଉପରେ ଆକ୍ରମଣ ବଢିଚାଲିଛି । ଏମିତିକି ଆଫଗାନିସ୍ତାନରେ ଆଫଗାନୀ ଶିଖଙ୍କ ସୁରକ୍ଷାକୁ ନେଇ ଏବେ ଏକ ବଡ ପ୍ରଶ୍ନ ଉଠିଛି । ଆଉ ଏନେଇ ଏବେ ଚିନ୍ତା ପ୍ରକଟ କରିଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ଘଟଣା ଉପରେ ପୁରା ନଜର ଥିବା ନେଇ ଟୁଇଟ୍ କରି ସୂୂଚନା ଦିଆଯାଇଛି । ଏହାସହ ଏହି ଆକ୍ରମଣକୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କଡା ନିନ୍ଦା କରିଛନ୍ତି । ବିଜେପି ନେତା ମଂଜିନ୍ଦର ସିଂ ସିରସା ସମସ୍ତ ଦେଶକୁ ଶିଖ୍ ବିରୋଧୀ ହିଂସା ବିରୋଧରେ ଏକାଠି ହେବା ପାଇଁ ଅନୁରୋଧ କରିଛନ୍ତି ।