ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡିଓ। ଘର ଭିତରେ ମନ୍ଦିର, ଗଣେଶ ପ୍ରତିମାରେ ସୁନା ମୁକୁଟ।

358

କନକ ବ୍ୟୁରୋ : ସମୟ ଭୋର ୪ଟା । ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଅତର୍କିତ ଚଢାଉ କଲେ ଭିଜିଲାନ୍ସ ଅଧିକାରୀ । ଏକାବେଳେ ୬ଟି ଜାଗାରେ ହେଲା ଚଢାଉ । ବିଡିଓଙ୍କ ଘର ଦେଖି ତାଜୁବ ହୋଇଗଲେ ଭିଜିଲାନ୍ସ ଅଧିକାରୀ । ଘର ପରିସରରେ ଗଢିଛନ୍ତି ମନ୍ଦିର । ମୁଗୁନି ପଥରର ତିଆରି ହୋଇଛି ଗଣେଶ ମୂର୍ତ୍ତି, ସେଥିରେ ଲାଗିଛିସୁନା ମୁକୁଟ । ଗଣେଶ ମୂର୍ତ୍ତିର ବିଭିନ୍ନ ଜାଗାରେ ଖଞ୍ଜା ହୋଇଛି ସୁନା । କେବଳ ଏତିକି ନୁହେଁ ପାଖରେ ରହିଛି ୧ କିଲୋ ୭୮୯ ଗ୍ରାମର ରୁପା ଛତ୍ରୀ ।

ବିଡିଓ ବାବୁଙ୍କ ସମ୍ପତ୍ତି ହିସାବ କରି କରି ଥକି ପଡିଲେଣି ଭିଜିଲାନ୍ସ ଅଧିକାରୀ । କଟକ ୪୨ମୌଜା ବାସଭବନରେ ବିଳାସପୂର୍ଣ୍ଣ ଆସବାବପତ୍ର ସହ ରହିଛି ଆକର୍ଷଣୀୟ ଇଣ୍ଟେରିୟର ଡିଜାଇନ । ମଡ୍ୟୁଲାର କିଚେନ ସାଙ୍ଗକୁ ଦାମୀ ସୋଫା ଓ ପଲଙ୍କ ଦେଖି ବିଡିଓଙ୍କ ବେଆଇନ ଆୟର ହିସାବ ଲଗାଉଛି ଭିଜିଲାନ୍ସ । ବାସଭବନରେ ୧ ଲକ୍ଷ ୭୦ ହଜାର ନଗଦ ଟଙ୍କା ଜବତ କରିବା ସହ ୫୬୮ ଗ୍ରାମ ସୁନା , ୩ କିଲୋ ୪୦୦ ଗ୍ରାମର ରୁପା ଜବତ କରିଛି ଭିଜିଲାନ୍ସ । କେଉଁଠୁ ଏତେ ସମ୍ପତି ଆଣିଲେ, ଏନେଇ ମୁହଁ ଖୋଲୁନାହାନ୍ତି ବିଡିଓ ।

ଜଳେଶ୍ୱର ଅଫିସ୍, କେନ୍ଦ୍ରାପଡ଼ା ଆଳିରେ ଥିବା ସମ୍ପର୍କୀୟଙ୍କ ଘର, କଟକ ୪୨ ମୌଜାରେ ଦୁଇଟି ବିଲ୍ଡିଂ ଏବଂ ପତ୍ନୀଙ୍କ କାର୍ଯ୍ୟାଳୟରେ ବି ଚଢ଼ାଉ କରିଛି ଭିଜିଲାନ୍ସ । ଜଟଣୀ ତହସିଲଦାର ଭାବେ ଦାୟିତ୍ୱ ତୁଲାଇଥାନ୍ତେ ଅଶ୍ୱିନୀ ଦାସ । କିନ୍ତୁ ବିଜ୍ଞପ୍ତି ପ୍ରକାଶ ହେବାର ଦିନକ ପରେ ଭିଡିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ଜଳେଶ୍ୱର ବିଡିଓ ।