ମରିବାକୁ ପସନ୍ଦ କରିବି ସିନା, ବିଜେପିକୁ ସମର୍ଥନ ଦେବିନାହିଁ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଡ ଘୋଷଣା…

321

କନକ ବ୍ୟୁରୋ: ବିହାରରେ ଶାସନ କରୁଥିବା ଜେଡିୟୁରେ କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ ଘୋଷଣା କରିଛନ୍ତି । ନୀତୀଶ କହିଛନ୍ତି ମରିବା ଯାଏ କେବେହେଲେ ବିଜେପି ସହ ଆସିବେ ନାହିଁ । ସେ ସ୍ପଷ୍ଟ ଭାବେ କହିଛନ୍ତି ମୋତେ ମୃତ୍ୟୁ ପସନ୍ଦ, କିନ୍ତୁ ବିଜେପି ସାଥିରେ ଯିବି ନାହିଁ ।

ନୀତୀଶ କୁମାର କହିଛନ୍ତି ଆମେ ଅଟଳଜୀଙ୍କୁ ମାନୁଥିବା ଲୋକ । ଆମେ ବିଜେପିର ହାତ ଛାଡିଦେଇଥିଲୁ । ସେମାନେ ଜବରଦସ୍ତି ଆମ ସହ ଆସିଥିଲେ । ୨୦୨୦ରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲି, ସେମାନେ କିନ୍ତୁ ଯାହା କଲେ ତାହା ସମସ୍ତେ ଜାଣିଛନ୍ତି । ଆମେ ତାଙ୍କୁ ଅନେକ ସମ୍ମାନ ଦେଇଛୁ । ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ଥରର ନିର୍ବାଚନ ହେବାକୁ ଦିଅନ୍ତୁ । ସମସ୍ତଙ୍କୁ ଜଣାପଡିବ ଯେ କାହାକୁ କେତେ ସିଟ୍ ମିଳୁଛି ।

ନୀତୀଶଙ୍କ ବୟାନ ସେହି ସମୟରେ ଆସିଛି ଯେଉଁ ସମୟରେ ତାଙ୍କ ଦଳର ନେତା ଉପେନ୍ଦ୍ର କୁଶୱାହ ତାଙ୍କ ଉପରେ ଲଗାତର ନିଶାନା ଲଗାଇଚାଲିଛନ୍ତି । ସେ ଦାବି କରିଛନ୍ତି, ଜେଡିୟୁର ବଡ ବଡ ନେତା ବିଜେପିର ସମ୍ପର୍କରେ ରହିଛନ୍ତି । ସେ ଯେତେବେଳେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ ସେତେବେଳେ ତାଙ୍କ ସହ ଅନେକ ବିଜେପି ନେତାଙ୍କ ଫଟୋ ସାମ୍ନାକୁ ଆସିଥିଲା । ଏହା ପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ସେ କହିଥିଲେ ଯେ ଜେଡିୟୁ ଛାଡି ସେ କେଉଁଆଡେ ଯିବେ ନାହିଁ ।