ଡାକ୍ତର ଚୋରୀ କରିନେଲେ କିଡନୀ… ମୋ ପିଲାମାନଙ୍କର କଣ ହେବ? ବିହାର ମହିଳା ସୁନୀତାଙ୍କ ସଙ୍ଘର୍ଷର କାହାଣୀ

321

କନକ ବ୍ୟୁରୋ: ଭରସାର ସହ ଯେଉଁଠି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲି ସେଠାରୁ ଚୋରୀ ହୋଇଗଲା କିଡନୀ । ଯେଉଁ ସ୍ୱାମୀ ସୁଖଦୁଃଖରେ ସାଥିରେ ରହିବାର ଭରସା ଦେଇଥିଲା ମଝି ରାସ୍ତାରେ ଛାଡି ସେ କେଉଁଆଡେ ଚାଲିଗଲା । ପାଖରେ ତିନି ତିନିଟି କଅଁଳ ଛୁଆ କେମିତି ତାଙ୍କୁ ନେଇ ଚଳିବି । ମନରେ ଥିବା କୋହକୁ ଏମିତି କିଛି ବୟାନ କରୁଛନ୍ତି ସୁନୀତା । ଆଗରୁ ମୂଲମଜୁରୀ କରି ଘର ଚଳାଉଥିଲି, ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇ ମୃତ୍ୟୁର ଦିନ ଗଣିଚାଲିଛି । ଜାଣିନି କେତେ ଦିନ ଆଉ ବଞ୍ଚିବି । ହେଲେ ମୋର ଭୁଲ କଣ? ମୋ ପରେ ମୋ ପିଲାଙ୍କ ଭବିଷ୍ୟତ ହେବ କଣ?

ସତରେ ସୁନିତାଙ୍କ ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ବିହାର ମୁଜଫରପୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁନିତାଙ୍କ ଏ ସବୁ ପ୍ରଶ୍ନ ପଚାରି କେବଳ କାନ୍ଦୁଛନ୍ତି । ୟୁଟେରସରେ ସଂକ୍ରମଣ ପରେ ସୁନୀତା ଏକ ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ଦୁଇ କିଡନୀ ନେଇ ଫେରାର ହୋଇଯାଇଛି । ସୁନୀତାଙ୍କ ଚିକିତ୍ସା ଏସକେ ମେଡିକାଲ କଲେଜରେ ଜାରିରହିଛି । ଦିନକୁ ଦିନ ତାଙ୍କ ସ୍ଥିତି ବିଗିଡିବାରେ ଲାଗିଛି । ପ୍ରତ୍ୟେକ ଦୁଇ ଦିନରେ ଥରେ ତାଙ୍କର ଡାୟାଲିସିଲ ଜାରିରହିଛି । ଅନେକ ଲୋକ ତାଙ୍କୁ କିଡନୀ ଦେବା ପାଇଁ ପ୍ରସ୍ତୁତ ଥିଲେ ବି କିଡନୀ ମ୍ୟାଚ ହେଉନଥିବା କାରଣରୁ ପ୍ରତିରୋପଣରେ ସମସ୍ୟା ଦେଖାଦେଉଛି ।

ସୁନୀତା ମଜଫରପୁର ବରିଆରପୁର ଚୌକ ନିକଟରେ ଥିବା ଘରୋଇ କ୍ଲିନିକରେ ସେପ୍ଟେମ୍ବର ୩ତାରିଖରେ ଭର୍ତ୍ତି ହୋଇଥିଲେ । ସୁନୀତାଙ୍କୁ ୟୁଟେରସରେ ଅପରେସନ ବଦଳରେ ନକଲି ଡାକ୍ତର ତାଙ୍କର ଦୁଇଟି ଯାକ କିଡନୀ ବାହାର କରିନେଇଥିଲେ । ଯେତେବେଳେ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ ହୋଇଥିଲା ସେତେବେଳେ କ୍ଲିନିକର ସଞ୍ଚାଳକ ତଥା ଡାକ୍ତର ପବନ ତାଙ୍କୁ ପାଟନାରେ ଥିବା ଏକ ନର୍ସିଂହୋମରେ ଭର୍ତ୍ତି କରି ସେଠାରୁ ଫେରାର ହୋଇଯାଇଥିଲେ । ଡାକ୍ତର ମହିଳାଙ୍କ ଅଜାଣତରେ ଏଭଳି କରିଦେଇଥିଲେ । ତେବେ ପରେ ପୋଲିସ ପବନକୁ ଗିରଫ କରିଛି ।

ସୁନୀତାଙ୍କ ୩ଶିଶୁ ମାଁଙ୍କ ସ୍ଥିତି ଦେଖି ଚିନ୍ତାରେ ରହିଛନ୍ତି । ସୁନୀତାଙ୍କୁ ଯେ କେହିବି ଦେଖିବାକୁ ଆସୁଛନ୍ତି ସେ ତାଙ୍କୁ ପ୍ରଶ୍ନ କରୁଛନ୍ତି ଏମାନଙ୍କର ଭୁଲ କଣ । ମୋ ପରେ ଏମାନଙ୍କ ଅବସ୍ଥା କଣ ହେବ? କିଛି ଦିନ ଯାଏ ସୁନୀତାଙ୍କ ସ୍ୱାମୀ ଅକଲୁ ରାମ ତାଙ୍କ ସହ ରହୁଥିଲେ । ସେ କିଡନୀ ଦେବା ପାଇଁ ପ୍ରସ୍ତୁତ ଥିଲେ । ତେବେ ତାଙ୍କ କିଡନୀ ମ୍ୟାଚ ହୋଇନଥିଲା । ଏହା ପରେ କୌଣସି କଥାକୁ ନେଇ ଝଗଡା ହୋଇଯାଇଥିଲା । ପରେ ସେ ପିଲାମାନଙ୍କୁ ଆଉ ସ୍ତ୍ରୀକୁ ଛାଡି ସେଠାରୁ ଚାଲିଯାଇଥିଲେ । ଯାଉ ଯାଉ ସେ ଏହା ବି କହିଯାଇଥିଲେ ତୁ ମୋ ଜୀବନକୁ ଆଉ ଚଳାଇପାରିବୁ ନାହିଁ । ଏଥିପାଇଁ ମୁଁ ଚାଲିଯାଉଛି । ଏହି କଥା କହିବା ବେଳେ ସୁନୀତାଙ୍କ ଆଖିରୁ ଠପ୍ ଠପ୍ ଲୁହ ଝରିଆସିଥିଲା ।