ସବୁ ଲୋକଙ୍କୁ ମନ୍ତ୍ରୀ କରାଯାଇପାରିବ ନାହିଁ, ଯିଏ ଯିବା କଥା ଯାଆନ୍ତୁ । ବୀମା ଭାରତୀଙ୍କୁ ନୀତିଶଙ୍କ ପାଲଟା ଜବାବ ।

231

କନକ ବ୍ୟୁରୋ: ବିହାରରେ ମହାମେଣ୍ଟ ସରକାରର କ୍ୟାବିନେଟ୍ ବିସ୍ତାର ହୋଇସାରିଛି । ହେଲେ ଏହାପରଠାରୁ ଅନେକ ବିବାଦ ଏବେ ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ଆରଜେଡି କୋଟାରୁ ମନ୍ତ୍ରୀ ହୋଇଥିବା କାର୍ତ୍ତିକେୟ ସିଂହଙ୍କୁ ନେଇ ବିବାଦ ହୋଇଥିଲା । ଆଉ ଏହାପରେ ଜେଡିୟୁ ବିଧାୟକ ବୀମା ଭାରତୀ ନିଜ ଦଳର ମନ୍ତ୍ରୀ ଲେସି ସିଂହଙ୍କ ବିରୋଧରେ ହିଁ ମୋର୍ଚ୍ଚା ଆରମ୍ଭ କରିଦେଇଛଥିଲେ । ତେବେ ବର୍ତ୍ତମାନ ବୀମା ଭାରତୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଉ ନୀତିଶ କୁମାର ବୀମା ଭାରତୀ ବୟାନରେ ଲେସୀ ସିଂହଙ୍କ ସପୋର୍ଟ ନେଇଛନ୍ତି ।

ବୀମା ଭାରତୀଙ୍କ ବୟାନ ପରେ ନୀତିଶ କୁମାର କହିଛନ୍ତି କି, ସବୁ ଲୋକଙ୍କୁ ମନ୍ତ୍ରୀ କରାଯାଇପାରିବ ନାହିଁ । ବୀମା ଭାରତୀଙ୍କର ମୁଁ ଯଥେଷ୍ଟ ସମ୍ମାନ ଦିଏ, ହେଲେ ସେ ଭୁଲ କଥା କହିଛନ୍ତି । ମୁଁ ପ୍ରଥମେ ତାଙ୍କୁ ଭଲ ଭାବେ ବୁଝାଇବି । ଯଦି ତା ପରେ ବି ସେ ବୁଝିବେନି, ତେବେ ତା ପରେ ତାଙ୍କ ଇଚ୍ଛା ସେ ଯାହା କରିପାରିବେ ।

ସୂଚନାଯୋଗ୍ୟ ଯେ, ବୀମା ଭାରତୀ ଧମକ ଦେଇଥିଲେ ଯେ, ନୀତିଶ କୁମାର ଲେସୀ ସିଂହଙ୍କୁ ଯଦି କ୍ୟାବିନେଟରୁ ବାହାର କରିବେନି ତେବେ ସେ ବିଧାୟକ ପଦରୁ ଇସ୍ତଫା ଦେଇଦେବ । ଆଉ ବିଧାୟକ ପଦରୁ ଇସ୍ତଫା ଦେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଆଗରେ ଧାରଣା ଦେବେ ବୋଲି କହିଥିଲେ ।

ଜେଡିୟୁ ବିଧାୟକ ବୀମା ଭାରତୀ ନୀତିଶ କୁମାରଙ୍କ ଉପରେ ବର୍ଷିଥିଲେ । ଲେସି ସିଂହଙ୍କୁ କ୍ୟାବିନେଟରେ ସାମିଲ କରିବା ଘଟଣାକୁ ନେଇ ସେ ତାଙ୍କୁ ଟାର୍ଗେଟ କରିଥିଲେ । ତେବେ ଲେସି ସିଂହଙ୍କ ବିରୋଧରେ ମଧ୍ୟ ସେ ବଟି ଆଦାୟ ଓ ହତ୍ୟା ଭଳି ସଙ୍ଗୀନ୍ ଅଭିଯୋଗ ଆଣିଥିଲେ । ସେ କହିଥିଲେ , ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳରେ ବାରମ୍ବାର ଲେସି ସିଂହଙ୍କୁ ରଖିବା ଦ୍ୱାରା ତାଙ୍କ ମନୋବଳ ଦୃଢ ହେବାରେ ଲାଗିଛି । ସେ ଅଧିକାରୀମାନଙ୍କୁ ଧମକାଇ ବଟି ଆଦାୟ କରୁଛନ୍ତି । ଲେସି ନିଜ ବିରୋଧୀମାନଙ୍କର ମଧ୍ୟ ହତ୍ୟା କରୁଛନ୍ତି ବୋଲି ବୀମା ଭାରତୀ ଅଭିଯୋଗ ଆଣି ନୀତିଶ କୁମାରଙ୍କ ଉପରେ ବର୍ଷିଥିଲେ ।

ସୂଚନାଯୋଗ୍ୟ ଯେ, ବୀମା ଭାରତୀ ଜେଡିୟୁର ବିଧାୟକ ଅଟନ୍ତି । ଯିଏକି କ୍ୟାବିନେଟ୍ ବିସ୍ତାର ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିବା ଆରମ୍ଭ କରିଛନ୍ତି । ତେବେ ପାଞ୍ଚ ପାଞ୍ଚ ଥରର ବିଧାୟକ ବୀମା ଭାରତୀଙ୍କୁ ଲେସୀ ସିଂହଙ୍କ ଜଣେ ପ୍ରତିଦ୍ୱନ୍ଦୀ ବୋଲି କୁହାଯାଏ ।