ଏବେ ବି ସରିନି ବାହାନଗା ଦୁଃଖ । ଟ୍ରେନ ଦୁର୍ଘଟଣାରେ ୨୯ ଜଣଙ୍କ ମୃତଦେହ ଚିହ୍ନଟ, ମୃତଦେହ ନେବା ପାଇଁ ଏମ୍ସରେ ଅପେକ୍ଷା କରିଛନ୍ତି ଅନେକ ପରିବାର

222

କନକ ବ୍ୟୁରୋ : ଶବର ଅପେକ୍ଷା ରହିଛି । ସମ୍ପର୍କୀୟ ବାଟ ଚାହିଁ ରହିଛନ୍ତି । ଘରେ ଶବ ପହଂଚିଲେ, ସଂସ୍କାର ହେବ । ଏହାରି ଭିତରେ ବିତିଯାଇଛି ପ୍ରାୟ ଗୋଟିଏ ମାସ । ବାହାନଗା ଅଘଟଣର ଏତେଦିନ ପରେ ବି, କେବେ ମୃତଦେହ ନେଇ ଘରକୁ ଯିବେ ସେକଥା ବି ଜାଣି ନାହାନ୍ତି ମୃତକଙ୍କ ସମ୍ପର୍କୀୟ । ଏଭଳି ସ୍ଥିତିରେ ହସ୍ପିଟାଲରେ ପଡ଼ି ରହିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ଏସବୁ ଭିତରେ ପଶ୍ଚିମବଙ୍ଗର କୃଷ୍ଣ ରବି ଦାସଙ୍କ କାହାଣୀ ସମସ୍ତଙ୍କୁ ଚକିତ କରିଛି । ବାଙ୍ଗାଲୁରୁରେ ପାଇପ କାମ କରୁଥିଲେ । ଭଉଣୀ ବାହାଘର ପାଇଁ ଘରକୁ ଆସିଥିବା ସମୟରେ ଘଟିଯାଇଥିଲା ଅଘଟଣ । କୃଷ୍ଣ ରବି ମୃତ୍ୟୁ ହୋଇଥିବା ନେଇ ଖବର ଦେବା ପରେ ପରିବାର ଲୋକ ପ୍ରଥମେ ବାହାନଗା ପରେ ଭୁବନେଶ୍ୱର ଏମ୍ସରେ ପହଂଚିଥିଲେ । ହେଲେ ପୁଅର ମୃତଦେହ ଚିହ୍ନ ପାରୁନଥିବାରୁ ଡିଏନଏ ସାମ୍ପୁଲ ପରୀକ୍ଷା କରାଇଥିଲେ । ଆଜି ପର୍ଯ୍ୟନ୍ତ ରିପୋର୍ଟ ଆସିନି । ସେହିପରି ଅଝର ଉଲ୍୍ହକଙ୍କ ମଧ୍ୟ ସମାନ କାହାଣୀ । ଅଝରଙ୍କ ମୃତଦେହ ନେବା ପାଇଁ ପରିବାର ଲୋକେ ଏବେ ବି ଡିଏନଏ ରିପୋର୍ଟକୁ ଅପେକ୍ଷା କରି ରହିଛନ୍ତି ।

ନିରାଶାର ଏହି ନମୂନା ଭିତରେ ଆଶ୍ୱସ୍ତ କରିଛି ଡିଏଏନ ରିପୋର୍ଟ । ଭୁବନେଶ୍ୱର ଏମ୍ସରେ ଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହର ଚିହ୍ନଟ କରାଯାଇଛି । ମୋଟ୍ ୭୮ଟି ନମୁନା ପଠାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୯ଟି ଡିଏନ୍ଏ ରିପୋର୍ଟ ଆସିଛି । ଚିହ୍ନଟ ହୋଇଥିବା ୨୯ଟି ମୃତଦେହ ମଧ୍ୟରୁ ଗୋଟିଏ ମୟୂରଭଂଜର ହୋଇଥିବା ବେଳେ ଅନ୍ୟଗୁଡିକ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ସେହି ମୃତଦେହ ଗୁଡିକୁ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ଡିଏନଏ ରିପୋର୍ଟ ଆସିବା ପରେ ଏମ୍ସରେ ପହଂଚିଛନ୍ତି ମୃତକଙ୍କ ପରିବାର । ଝାଡ଼ଖଣ୍ଡରୁ ଦିବ୍ୟାଙ୍ଗ ଦମ୍ପତି ଆସିଛନ୍ତି ଏମ୍ସ । ପୁଅର ମୃତଦେହ ନେବାକୁ ହସ୍ପିଟାଲ ପରିସରରେ ବସିଛନ୍ତି ଏହି ଦମ୍ପତି   । ବାହାନଗା ସେହି କାଳ ରାତିରେ ଦିବ୍ୟାଙ୍ଗ ଲକ୍ଷ୍ମଣ ଚୌଧୁରୀଙ୍କ ବଡ଼ ପୁଅଙ୍କ ଜୀବନ ଯାଇଥିଲା । ଦିବ୍ୟାଙ୍ଗ ଦମ୍ପତିଙ୍କ ପୁଅର ମୃତଦେହ ମିଳିନଥିଲା ଯାହା ପାଇଁ ତାଙ୍କୁ ଡିଏନଏ ପରୀକ୍ଷା କରାଇବାକୁ ପଡ଼ିଥିଲା । ଆଜି ପୁଅର ମୃତଦେହ ନେଇ ଘରକୁ ଯିବେ ଏହି ଦମ୍ପତି ।

ଯାହାର ମୃତଦେହ ଚିହ୍ନଟ ହୋଇଛି, ସେମାନଙ୍କ ସମ୍ପର୍କୀୟ ମୃତଦେହକୁ ନେଇ ଫେରିଯିବେ । ହେଲେ ଯେଉଁମାନଙ୍କର ବର୍ତମାନ ସୁଦ୍ଧା ଚିହ୍ନଟ ହୋଇନାହିଁ, ସେମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ।