ବିରୋଧ ସତ୍ୱେ ଗସ୍ତ ଜାରି ରଖିଛନ୍ତି ୫ଟି ସଚିବ । ଜଗତସିଂହପୁର ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା ।ବିରୋଧୀଙ୍କ କଡ଼ା ସମାଲୋଚନା

203

କନକ ବ୍ୟୁରୋ : ବିରୋଧୀଙ୍କ ବିରୋଧ ସତ୍ୱେ ଗସ୍ତ ଜାରି ରଖିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଜଗତସିଂହପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନକୁ ଯାଇ ସମୀକ୍ଷା କରିଛନ୍ତି ସଚିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମା ଶାରଳା ମନ୍ଦିର, ଗୋରେଖନାଥ ମନ୍ଦିର, ଜୟପୁର ସ୍ଥିତ ବୟନ ଗ୍ରାମ ଓ ବିରିଡି ବ୍ଲକ ସ୍ଥିତ ପଂଚସଖା ଧ୍ୟାନକୁଦ ଜଗନ୍ନାଥ ମନ୍ଦିରକୁ ଯାଇ ବିକାଶମୂଳକ କାର୍ଯ୍ୟକୁ ବୁଲି ଦେଖିଛନ୍ତି । ଏଥିସହ ଆୟୋଜିତ ମିଶନଶକ୍ତି ସମାବେଶରେ ମହିଳାମାନଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏବଂ ମିଶନ ଶକ୍ତି ମହିଳାଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ଦାବି ନେଇ ଦରଖାସ୍ତ ଗ୍ରହଣ କରିଛନ୍ତି । କଟକ ବୋର୍ଡ ସ୍କୁଲକୁ ମଧ୍ୟ ଗସ୍ତ କରିଛନ୍ତି ୫ଟି ସଚିବ । ସେଠାରେ ସ୍କୁଲ ପିଲାଙ୍କୁ ଭେଟିି ପାଠ ପଢ଼ା ନେଇ ପଚାରି ବୁଝିଛନ୍ତିି । ଏଥିସହ ଉନ୍ନତିମୂଳକ କାର୍ଯ୍ୟ ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତିି ।

ବିବାଦ ଭିତରେ ୫ଟି ଗସ୍ତ କରିବା, ଆୟୋଜିତ ସମାବେଶରେ ଯୋଗ ଦେବାକୁ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେପି ନେତା ପୃଥୀରାଜ ହରିଚନ୍ଦନ ଅଭିଯୋଗ କରି କହିଛନ୍ତି, ଯେତେବେଳେ ସରକାର ମୁଣ୍ଡ ବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ । ଜଣେ ସଚିବ ଯାଇ ସଭାସମିତି କରିବେ ଓ ଘୋଷଣା କରିବେ ଏହା ଦୁର୍ଭାଗ୍ୟଜନକ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଟିକେଟ ଓ ମନ୍ତ୍ରୀପଦ ଭୟରେ ୫ଟି ସଚିବଙ୍କୁ ସମର୍ଥନ କରୁଛନ୍ତି ବିଜେଡି ବିଧାୟକ । ୫ଟି ଙ୍କ କାର୍ଯ୍ୟକ୍ରମକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ । ବିରୋଧୀଙ୍କ ଅଭିଯୋଗର ଜବାବ ରଖି ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ୫ ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଉଛନ୍ତିି, କାମର ତଦାରଖ କରିବା ପାଇଁ । ତାକୁ ନେଇ ବିଜେପି ଯଦି ରାଜନୀତି କରିବ, ତାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ।

ଗୋଟିଏ ପଟେ କେନ୍ଦ୍ରର ଚିଠି ପରେ ବି ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲାକୁ ଗସ୍ତ ଓ ଅନ୍ୟପଟେ ବିରୋଧୀଙ୍କ ବିରୋଧ ଆଗାମି ଦିନରେ ରାଜ୍ୟ ରାଜନୀତିକୁ ସରଗରମ କରିବ ବୋଲି ଚର୍ଚ୍ଚା ହେଉଛି ।