ଭାରତ ବିପକ୍ଷ ହାଇଭୋଲଟେଜ୍ ମ୍ୟାଚରେ ‘କଳା ବ୍ୟାଚ୍’ ପିନ୍ଧି ଖେଳିବ ପାକିସ୍ତାନ । ଜାଣନ୍ତୁ, ଏହା ପଛର କାରଣ…

458

କନକ ବ୍ୟୁରୋ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ୨୦୨୨ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଏହି ମ୍ୟାଚରେ ମୁହାଁମୁହିଁ ହେବେ । ୟୁଏଇର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ରାତି ସାଢେ ୭ଟାରେ ଖେଳାଯିବ ।

ତେବେ ଭାରତ ବିପକ୍ଷ ଏହି ହାଇଭୋଲଟେଜ୍ ମ୍ୟାଚରେ ପାକିସ୍ତାନ କ୍ରିକେଟ୍ ଟିମ୍ କଳା ବ୍ୟାଚ୍ ପିନ୍ଧି ମ୍ୟାଚ୍ ଖେଳିବ । ପାକିସ୍ତାନରେ ଆସିଥିବା ଭୟଙ୍କର ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାକିସ୍ତାନ କ୍ରିକେଟ୍ ଦଳ ଏଭଳି ନିଷ୍ପତ୍ତି ନେଇଛି । ତା ସହିତ ଏହି ବନ୍ୟାକୁ ସାମ୍ନା କରୁଥିବା ଲୋକଙ୍କ ପାଇଁ ଏହା ଏକ ସପୋର୍ଟ ହେବ ବୋଲି କୁହାଯାଇଛି । ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ୍ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ମଧ୍ୟ ଏନେଇ ବିଧିବଦ୍ଧ ଭାବେ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ପାକିସ୍ତାନ କ୍ରିକେଟ୍ ଟିମ୍ ଆଜି ଏସିଆ କପରେ ନିଜର ପ୍ରଥମ ମ୍ୟାଚ୍ ଟିମ୍ ଇଣ୍ଡିଆ ବିପକ୍ଷରେ ଖେଳିବ । ଏହି ମ୍ୟାଚରେ ଦଳର ଖେଳାଳିମାନେ କଳା ବ୍ୟାଚ୍ ପିନ୍ଧି ପଡିଆକୁ ଓହ୍ଲାଇବେ । ବନ୍ୟା ପୀଡିତଙ୍କୁ ସପୋର୍ଟ କରିବା ପାଇଁ ଏପରି କରାଯାଉଛି ବୋଲି ପିସିବି ତରଫରୁ ସୂଚନା ଦିଆଯାଇଛି । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଅଧିନାୟକ ବାବର ଆଜମ୍ ମଧ୍ୟ ପାକିସ୍ତାନରେ ବନ୍ୟା ନେଇ ସୂଚନା ଦେଇଥିଲେ । ତା ସହିତ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ସେ ଲୋକଙ୍କୁ ଅପିଲ କରିଥିଲେ ।

ସୂଚନାଯୋଗ୍ୟ ଯେ, ଆଜି କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଏସିଆ କପ୍ରେ ଆଜି ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଏସିଆ କପରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଗତବର୍ଷ ଟି-୨୦ ବିଶ୍ୱକପରେ ପାକିସ୍ତାନଠୁ ମିଳିଥିବା ପରାଜୟର ପ୍ରତିଶୋଧ ନେବାକୁ ସବୁପ୍ରକାର ଚେଷ୍ଟା କରିବେ ରୋହିତ ବାହିନୀ । ଏସିଆ କପର ମୋଟ ପରିସଂଖ୍ୟାନ କିନ୍ତୁ ଭାରତ ସପକ୍ଷରେ ରହିଛି । ଆଜିର ମ୍ୟାଚରେ ଦୁଇ ଦଳର ମୁଖ୍ୟ ଷ୍ଟ୍ରାଇକ ବୋଲର ଯଶପ୍ରୀତ ବୁମରା ଓ ସାହିନ ଆଫ୍ରିଦିଙ୍କୁ ଦେଖିବାକୁ ମିଳିବ ନାହିଁ । ତେବେ ଏବେ ଫର୍ମରେ ନଥିବା ବିରାଟ କୋହଲି ଓ ପାକିସ୍ତାନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବାବର ଆଜମଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।