ଜି. ଉଦୟଗିରି ମହିଳା ଏସଆଇଙ୍କ ମୃତ୍ୟୁ ଘଟଣା । ଆଇଆଇସି ରେବତୀ ସବରଙ୍କୁ ବଦଳି କରାଯାଇଥିବା ସୂଚନା ।

183

କନକ ବ୍ୟୁରୋ: ବାଲିଗୁଡା ଜି ଉଦୟଗିରି ମହିଳା ଏସଆଇଙ୍କ ମୃତ୍ୟୁ ଘଟଣା । ଆଇଆଇସି ରେବତୀ ସବରଙ୍କୁ ବଦଳି କରାଯାଇଥିବା ସୂଚନା । ପରିବାର ଲୋକଙ୍କ ସହ ଆଲୋଚନା ପରେ କନ୍ଧମାଳ ଏସପି ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜି.ଉଦୟଗିରି ଥାନା ଏସଆଇ ସ୍ୱାଗତିକା ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ଥାନା ଆଗରେ ଧାରଣା ଦେଇଥିଲେ ମୃତ ସ୍ୱାଗତିକାଙ୍କ ପରିବାର । ପୋଲିସକୁ ପୋଲିସର ଅମାନୁସିକ ଅତ୍ୟାଚାର ପାଇଁ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଥିଲେ । ସ୍ୱାଗତିକାଙ୍କ ମୃତ୍ୟୁ ମାମଲାରେ ଥାନା ଆଇଆଇସିଙ୍କୁ ଦାୟୀ କରି ମୃତ ଏସଆଇ ମାଆ ଉଷାରାଣୀ ବେହେରା ଏତଲା ଦେଇଥିଲେ ।

ତେବେ ବିଳମ୍ବିତ ରାତିରେ ଏସଡିପିଓଙ୍କ ଜରିଆରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ତାଙ୍କ ଝିଅଙ୍କୁ ମାନସିକ ନିର୍ଯାତନା ଦେଇଥିବା ଏତଲାରେ ଉଲ୍ଲେଖ କରିଥିଲେ । ଝିଅ ଚାପଗ୍ରସ୍ତ ହୋଇ ଏହିଭଳି ନିଷ୍ପତି ନେଇଥିବା କହିବା ସହ ଥାନା ଅଧିକାରୀ ରେବତୀ ସବର ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ଏସଆଇଙ୍କ ମାଆ । ଗତକାଲି ସରକାରୀ କ୍ୱାଟର୍ସରୁ ମହିଳା ଏସଆଇଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । କାହିଁକି ଏସଆଇ ଏଭଳି ନିଷ୍ପତି ନେଲେ କାରଣ ଜଣାପଡ଼ି ନଥିବା ବେଳେ ପରିବାର ଲୋକ ଆଇଆଇସିଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି ।