ନେପାଳରୁ ଯାତ୍ରୀବାହି ବିମାନ ନିଖୋଜ ହେବା ଘଟଣା, ବିମାନ ଠାବ ହୋଇଥିବା ନେଇ ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦର ମୁଖ୍ୟଙ୍କ ସୂଚନା

515

କନକ ବ୍ୟୁରୋ : ନେପାଳ ବିମାନବନ୍ଦରରୁ ୨୨ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ଏକ ଯାତ୍ରୀବାହୀ ବିମାନ ସକାଳେ ନିଖୋଜ ହୋଇଯାଇଥିବା ନେଇ ଖବର ଆସିଥିଲା । ହେଲେ ଏବେ ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦର ମୁଖ୍ୟଙ୍କ ସୂଚନା ମୁତାବକ ବିମାନଟିକୁ ଠାବ କରାଯାଇଥିଲେ ବି ତାର ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ସେପଟେ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ବିମାନଟି ଦୁର୍ଘଟଣାରେ ଶିକାର ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ପାହାଡ ପାଦଦେଶରେ କିଛି ନିଆଁ ଓ ଧୂଆଁ ଦେଖା ଦେଇଥିବାରୁ ଏହା ହିଁ ବିମାନ ଜଳିବାର ଚିତ୍ର ବୋଲି ଅନୁମାନ କରାଯାଇଛି ।

ସେପଟେ ପାଗ ଖରାପ ଥିବାରୁ ଉଦ୍ଧାର କାର୍ଯ୍ୟରେ ପଠାଯାଇଥିବା ହେଲିକପ୍ଟର ଫେରି ଆସିଛି । ଏହାସହ ସେନାର ହେଲିକପ୍ଟର ବି ଦୁର୍ଘଟଣା ସ୍ଥଳରେ ପହଂଚିପାରି ନଥିବା କୁହାଯାଉଛି । ହେଲେ ନେପାଳ ସରକାରଙ୍କ ତରଫରୁ ନେପାଳୀ ସେନା ଓ କିଛି ନେପାଳ ପୋଲିସ କର୍ମୀ ପାଦରେ ଚାଲି ଚାଲି ଦୁର୍ଘଟଣା ସ୍ଥଳରେ ପହଂଚିବାକୁ ଚେଷ୍ଟା କରୁଛନ୍ତି ।

 

ନେପାଳ ଗଣମାଧ୍ୟମର ସୂଚନା ମୁତାବକ ରବିବାର ସକାଳ ୯.୫୫ ରେ ଏହି ଯାତ୍ରୀବାହି ବିମାନଟି ୨୨ ଜଣ ଯାତ୍ରୀଙ୍କୁ ଧରି ପୋଖରା ବିମାନବନ୍ଦରରୁ ଉଡାଣ ଆରମ୍ଭ କରିଥିଲା । ହେଲେ ମାତ୍ର ୩୫ ମିନିଟ ପରେ ବିମାନବନ୍ଦର କେଣ୍ଟ୍ରୋଲ ରୁମ ସହ ବିମାନର ସଂପର୍କ ଛିନ୍ନ ହୋଇଥିଲା । ଏହାପରେ ବିମାନକୁ ନେଇ ଖୋଜା ଖୋଜି ଆରମ୍ଭ ହୋଇଥିଲା ।