ଅଶୁଭ ଶୁକ୍ରବାର, ବିଭିନ୍ନ ସ୍ଥାନରୁ ଆସିଲା ଦୁଃଖଦ ଖବର । ସମ୍ବଲପୁରରେ କେନାଲକୁ ଖସିପଡିଲା ବରଯାତ୍ରୀ ଗାଡି, ୭ ମୃତ

407

କନକ ବ୍ୟୁରୋ: ଅଶୁଭ ଶୁକ୍ରବାର । ଏକାସାଙ୍ଗରେ ଚାଲିଗଲା ୭ଜଣଙ୍କ ଜୀବନ । ବରଯାତ୍ରୀ ହେଲା ଶେଷଯାତ୍ରା । ଝିଅ ଘର ଠାରୁ ମାତ୍ର ୨ କିଲୋମିଟର ଦୂରରେ, ଭୋଜି ଭାତ ଖାଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ସମ୍ବଲପୁର ଶାସନ କେନାଲର ଭିତରକୁ ଖସିପଡ଼ିଥିଲା ଗାଡ଼ି । ନିମିଷେକେ ସବୁକିଛି ହୋଇଯାଇଥିଲା ଅନ୍ଧାର । ଆଉ ବରଯାତ୍ରୀ ହୋଇ ଯାଇଥିବା ୭ଜଣଙ୍କ ଜୀବନ ଅକାଳରେ ଚାଲିଯାଇଛି । ସମ୍ବଲପୁର ପରମାଣପୁରରୁ ଆସିଛି ଏମିତି କିଛି ଦୁଃଖଦ ଖବର ।

ତେବେ ଅଘଟଣର ମାତ୍ର କିଛି ଘଣ୍ଟା ଆଗରୁ ସେଠି ଉତ୍ସାହ ଥିଲା । ଶୋଭାଯାତ୍ରା ଚାଲିଥିଲା । ବେଶ ଖୁସିରେ ନାଚିି ନାଚିି ବରଯାତ୍ରୀ ଯାଉଥିଲେ । ହେଲେ ଯେଉଁମାନେ ଏହି ବରଯାତ୍ରୀରେ ନଜର ଆସିଥିଲେ, ସେମାନଙ୍କ ମଧ୍ୟରୁ ୭ଜଣ ଆଉ ଏହି ଦୁନିଆରେ ନାହାଁନ୍ତି । ଏବେ ଖାଁ ଖାଁ ଗାଁ । ଶୂନସାନ ବାହାଘର ପାଇଁ ସଜା ହୋଇଥିବା ମଣ୍ଡପ ।

  • ଦୁର୍ଘଟଣା ନେଇ ଗଲା ୭ ଜୀବନ
  • ବରଯାତ୍ରୀ ହୋଇଯାଇଥିଲେ ଶବ ହୋଇଫେରିଲେ!

ସମ୍ବଲପୁର ଶାସନ ଥାନା ବିଶାଳଖିଣ୍ଡା ଶାସନ କେନାଲରେ ଏକ ବୋଲେରୋ ଖସି ପଡ଼ିବାରୁ ୭ଜଣଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡ଼ା ଜିଲ୍ଳା କନକତୁରା ବଡ଼ଧରା ଅଞ୍ଚଳରୁ ପରମାଣପୁରକୁ ବରଯାତ୍ରୀ ଭାବେ ଯାଇଥିଲେ ଏହି ଗାଁର ଯୁବକମାନେ । ହସଖୁସିରେ କନ୍ୟା ଘରେ ବି ପହଞ୍ଚିଥିଲେ । ବାହାଘର ଭାଜି ଖାଇ ବଡ଼ଧରା ଗାଁକୁ ଫେରିଥିଲା ବେଳେ ଘଟିଥିଲା ଦୁର୍ଘଟଣା । ରାତି ପ୍ରାୟ ୨ଟା ବେଳେ ଏକ ବୋଲେରୋ ଗାଡ଼ିରେ ଘରକୁ ଫେରୁଥିଲେ ବରଯାତ୍ରୀ ହୋଇଥିବା ପ୍ରାୟ ୧୧ ଜଣ ଯୁବକ । ରାତିରେ ଫେରୁଥିବା ସମୟରେ ବର୍ଷା ହେଉଥିଲା । ଠିକ୍ ଏହି ସମୟରେ ଶାସନ କେନାଲ ନିକଟରେ ଅଚାନକ୍ ଭାରସାମ୍ୟ ହରାଇ, କେନାଲ ଭିତରକୁ ଖସିପଡ଼ିଥିଲା ବୋଲେରୋ ।

ଏହି ଦୁର୍ଘଟଣାରେ ବଡ଼ଧରା ଗାଁର ସୁବଳ ଭୋଇ, ସୁମନ୍ତ ଭୋଇ, ସରୋଜ ସେଠ୍, ଦିବ୍ୟ ଲୁହା, ଅଜିତ୍ ଖମାରୀ, ରମାକାନ୍ତ ଭଅଁର ଓ ଶତ୍ରୁଘ୍ନ ଭୋଇଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣକୁ ନେଇ ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।