ତେଲ ଚୋରି କରି ୪ଶହ କୋଟିର ମାଲିକ ପାଲଟିଥିଲା । ମାଷ୍ଟରମାଇଣ୍ଡକୁ ଗିରଫ କଲା ପୋଲିସ

847

କନକ ବ୍ୟୁରୋ : ଗୁଜରାଟ ପୋଲିସକୁ ମିଳିଛି ବଡ ସଫଳତା । ତେଲ ଚୋରି କରି ୪୦୦ କୋଟି ଟଙ୍କା କମାଇଥିବା ତେଲ ମାଫିଆକୁ ଗିରଫ କରିଛି ଗୁଜରାଟ ପୋଲିସ । ଦୀର୍ଘଦିନ ଧରି ଲୁଚି ଲୁଚି କ୍ଷୀର ପିଉଥିବା ବିରାଡି ଏବେ ପୋଲିସ ପଞ୍ଝାରେ ପଡିଛି ।

ତେଲ ଚୋରି କରି ୪୦୦କୋଟିର ମାଲିକ ପାଲଟିଥିବା ତେଲ ମାଫିଆର ନାଁ ହେଉଛି ସଂଦୀପ ଗୁପ୍ତା । ଦେଶର ବିଭିନ୍ନ ରାଜ୍ୟରେ ତେଲ ଚୋରିର କଳା ସାମ୍ରାଜ୍ୟ ବିସ୍ତାର କରିଥିଲା ଏହି ମାଷ୍ଟରମାଇଣ୍ଡ ସଂଦୀପ ଗୁପ୍ତା । ପ୍ରଥମେ ସଂଦୀପ ଫର୍ଣ୍ଣିସ୍ ଅଏଲ୍ କିଣାବିକାରୁ କଳା କାରବାର ଆରମ୍ଭ କରିଥିଲା । ଏହା ପରେ ତେଲ ଚୋରି କରୁଥିବା ଲୋକଙ୍କ ସଂମ୍ପର୍କରେ ଆସିଥିଲା । ଏହା ପରେ ଇଣ୍ଡିଆନ୍ ଅଏଲ୍ ଏବଂ ଓଏନଜିସି ପାଇପଲାଇନ୍ ଯାଇଥିବା ଆଖପାଖ ଅଞ୍ଚଳରେ ଥିବା ଫ୍ୟାକ୍ଟ୍ରିଗୁଡିକୁ ଲିଜରେ ନେଉଥିଲା । ସେଠାରେ ସଂଦୀପ ଗ୍ୟାଙ୍ଗର ଲୋକେ ପାଇପକୁ କଣା କରି ତେଲ ବାହାର କରି ଟ୍ୟାଙ୍କରରେ ରଖୁଥିଲେ । ଏହା ପରେ ଏହାକୁ ଅତି ଚାଲାକର ସହ ବିକ୍ରି କରିଦେଉଥିଲେ । ବର୍ତ୍ତମାନ ସୁଦ୍ଧା ସଂଦୀପ ୩୦୦ରୁ ୪୦୦ କୋଟି ଟଙ୍କାର ତେଲ ଚୋରି କରିନେଇଥିବା ଜଣାପଡିଛି ।

ତେବେ ସୁରଟର କ୍ରାଇମବ୍ରାଞ୍ଚ ସଂଦୀପକୁ କୋଲକତାରୁ ଗିରଫ କରିବାରେ ସଫଳ ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ ତେଲ ଚୋରି କାରବାରର ନେଟୱାର୍କ ବଢାଇଥିବା ତେଲ ମାଫିଆ ସଂଦୀପ ଗିରଫ ପରେ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ବାଟ ଖୋଲିବ ବୋଲି ପୋଲିସ ଆଶା ରଖିଛି ।