ହଟିଲା ୨୦୦୦ ଟଙ୍କିଆ ନୋଟ୍ । ହଟିବ କି କଳାଧନ? ପଢନ୍ତୁ, କଣ କହିଲେ ଆରବିଆଇର ପୂର୍ବତନ ଗଭର୍ଣ୍ଣର?

304

କନକ ବ୍ୟୁରୋ: ଦୁଇ ହଜାର ଟଙ୍କିଆ ନୋଟ୍ ହଟିଲା ପରେ ଏବେ ପ୍ରଶ୍ନ ଉଠୁଛି କଳାଧନ ରୋକିବାରେ ଏହା କେତେ ସହାୟକ ହେବ? ଆରବିଆଇର ପୂର୍ବତନ ଗଭର୍ଣ୍ଣର ଆର.ଏସ୍. ଗାନ୍ଧୀ କହିଛନ୍ତି, ଯଦିଓ ଦୁଇ ହଜାର ଟଙ୍କିଆ ନୋଟର ବ୍ୟବହାର କମିଯାଇଥିଲା କିନ୍ତୁ ଯାହା ପାଖରେ ଏହି ନୋଟ୍ ରହିଛି ତାକୁ ଜମା କରିବାକୁ ପଡିବ । ତେଣୁ କଳାଧନ ରୋକିବାରେ ଏହା ସହାୟକ ହୋଇପାରେ । ଏହାରି ଭିତରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତିକୁ ବିଜେପି ସମର୍ଥନ କରୁଥିବା ବେଳେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

  • ହଟିଲା ୨୦୦୦ ଟଙ୍କିଆ ନୋଟ୍
  • ହଟିବ କି କଳାଧନ?

୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତି କଳାଧନ ରୋକିବାରେ ସହାୟକ ହେବ ବୋଲି କହିଛନ୍ତି ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଆର.ଏସ୍. ଗାନ୍ଧୀ । ସେ କହିଛନ୍ତି, ୨୦୦୦ ଟଙ୍କିଆ ବ୍ୟାଙ୍କନୋଟର ନେଣଦେଣ କମିଯାଇଥିଲା । ଯେଉଁମାନେ ଏହାକୁ ଗଚ୍ଛିତ କରି ରଖିଛନ୍ତି, ସେମାନଙ୍କୁ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ପଡିବ କିମ୍ବା ନୋଟ୍ ବଦଳାଇବାକୁ ପଡିବ । ତେଣୁ କଳାଧନ ରୋକିବାରେ ଏହା ସହାୟକ ହେବ ।

ତେବେ ୨୦୧୬ରେ ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ଘୋଷଣା ପରେ କଳାଧନ ପଦାକୁ ଆସିବ ବୋଲି କହିଥିଲେ କେନ୍ଦ୍ର ସରକାର । ଏବେ ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିନେବ ଆରବିଆଇ । ଯେଉଁମାନେ ଏହି ନୋଟକୁ ହୋର୍ଡିଂ କରି ରଖିଛନ୍ତି, ସେମାନେ ଅଡୁଆରେ ପଡିପାରନ୍ତି ।

  • ଲାଞ୍ଚ କାରବାର ପାଇଁ ହେଉଥିଲା ସହଜ
  • ହାତ ମୁଠାରେ ରହୁଥିଲା ଲକ୍ଷାଧିକ ଟଙ୍କା

ଆୟ ବହିର୍ଭୁକ୍ତ ସମ୍ପତ୍ତିି ଅଭିଯୋଗରେ ଯେଉଁଠି ରେଡ୍ ହୋଇଛି, ସେଠାରେ ୨୦୦୦ ଟଙ୍କିଆ ନୋଟ କାରବାରର ପ୍ରମାଣ ମିଳିଛି । ଯେହେତୁ ଅଳ୍ପ ସ୍ଥାନରେ ଅଧିକ ପରିମାଣର ଟଙ୍କା ରଖିବା ସମ୍ଭବ ହୋଇଥାଏ, ତେଣୁ ଲାଞ୍ଚ କାରବାର ପାଇଁ ସହାୟକ ହୋଇଥାଏ । ଏବଂ ବିପୁଳ ପରିମାଣର କଳାଟଙ୍କା ଗଚ୍ଛିତ ରଖିବା ଅପେକ୍ଷାକୃତ ସହଜ ହୋଇଥାଏ । ତେବେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତିକୁ ବିଜେପି ସମର୍ଥନ କରୁଥିବା ବେଳେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ୭ ବର୍ଷ ତଳେ ନୋଟବନ୍ଦୀ ହେବା ପରେ ଦେଶରେ ଅସ୍ଥିରତା ସୃଷ୍ଟି ହୋଇଥିଲା । ତେଣୁ ପୁଣିଥରେ ସେପରି ଆଶଙ୍କା ଦେଖାଦେଇଛି ।

୨୦୧୬ ନୋଟବନ୍ଦୀ ପରେ ବ୍ୟାଙ୍କନୋଟର ଅଭାବ ସୃଷ୍ଟି ହୋଇଥିଲା । ଏହି ଅଭାବକୁ ତୁରନ୍ତ ପୂରଣ କରିବା ପାଇଁ ପ୍ରଚଳନ ହୋଇଥିଲା ୨୦୦୦ ଟଙ୍କିଆ ନୋଟ୍ । ୨୦୧୮ରୁ ଛପା ବନ୍ଦ ହେବା ପରେ କାରବାର କମି ଆସିଥିଲା ।

  • ମାର୍ଚ୍ଚ ୨୦୧୮ରେ ଥିଲା ୬.୭୩ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍
  • ମାର୍ଚ୍ଚ ୨୦୨୩ରେ ରହିଯାଇଛି ମାତ୍ର ୩.୬୨ ଲକ୍ଷ କୋଟି ଟଙ୍କାର ନୋଟ୍
  • ଯାହା ଆରବିଆଇ ଇସ୍ୟୁ କରିଥିବା ୨ହଜାର ଟଙ୍କିଆ ନୋଟର ମାତ୍ର ୧୦.୮ ପ୍ରତିଶତ

ଏବେ ଏହି ନୋଟକୁ ଫେରାଇ ଆଣିବ ରିଜର୍ଭ ବ୍ୟାଙ୍କ …

  • ୨୩ରୁ ସେପ୍ଟେମ୍ବର ୩୦ ରହିଛି ସମୟ ସୀମା
  • ବ୍ୟାଙ୍କରେ ଜମା କରିହେବ କିମ୍ବା ବଦଳାଇ ସେହି ମୂଲ୍ୟର ଅନ୍ୟ ନୋଟ୍ ନେଇହେବ