ଗାଁ ଦାଣ୍ଡରେ ମରିଗଲା ମାନବିକତା । ଯୁବକଙ୍କୁ ପିଟି ପିଟି ମାରିଦେଲେ ନୃଶଂସ ବ୍ୟକ୍ତି । ଭିଡିଓ ଭାଇରାଲ ପରେ ଆକ୍ସନ ମୋଡରେ ପୋଲିସ୍ । 

988

କନକ ବ୍ୟୁରୋ: ଭାଇରାଲ ହେଉଛି ଗଞ୍ଜାମ ଜିଲ୍ଲାର ଏକ ହତ୍ୟାକାଣ୍ଡର ଛାତିଥରା ଦୃଶ୍ୟ । ଚୋରି ସନ୍ଦେହରେ ଯୁବକଙ୍କ ପିଟି ପିଟି ଗାଁ ଦାଣ୍ଡରେ ହତ୍ୟା କରାଯାଇଛି । ତେବେ ଚିଙ୍ଗୁଡ଼ିଘାଇ ଗାଁ ପ୍ରାଇମେରୀ ସ୍କୁଲ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଥିଲା । ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା ଓ ବିଭତ୍ସ ହତ୍ୟାର ଗୁମର ଖୋଲିଥିଲା ।

  • ଗାଁ ଦାଣ୍ଡରେ ମରିଗଲା ମାନବିକତା
  • ଯୁବକଙ୍କୁ ପିଟି ପିଟି ମାରିଦେଲେ

କଙ୍ଗାରୁ କୋର୍ଟର କରୁଣ ଚିତ୍ର । ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ବର୍ବୋରଚିତ ନିର୍ଯ୍ୟାତନା । ଛୋଟ ଛୋଟ ପିଲା ଓ ମହିଳାଙ୍କ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ କିଛି ନୃଶଂସ ବ୍ୟକ୍ତି । ଆଉ ଯୁବକଙ୍କ ମୃତଦେହକୁ ଗାଁରେ ଥିବା ସ୍କୁଲ ନିକଟରେ ଫିଙ୍ଗିଦେଲେ । ଏମିତି ଏକ ଖବର ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇ ଗ୍ରାମରୁ ।

ସୂଚନା ଅନୁସାରେ ଗାଁ ପ୍ରାଇମେରୀ ସ୍କୁଲ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିବା ପରେ, ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଉ ସେତିକି ବେଳେ ବିଭତ୍ସ ହତ୍ୟାର ଗୁମର ଖୋଲିଥିଲା, ମୋବାଇଲରୁ ମୋବାଇଳକୁ ଘୂରି ବୁଲୁଥିବା ଏକ ଭାଇରାଲ ଭିଡ଼ିଓ । ତେବେ ତଦନ୍ତ ପରେ ମୃତ ଯୁବକ ପୁରୀ ଜିଲାର ବାହୁଡ଼ା ସାହୁ ବୋଲି ଜଣାପଡ଼ିଛି । ଗଞ୍ଜାମ ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ  ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ପୁରୁଷୋତମପୁର ଏସଡ଼ିପିଓ ।

ସୂଚନା ଅନୁସାରେ ବାହୁଡ଼ା ଚିଙ୍ଗୁଡିଘାଇ ଗ୍ରାମରେ ବୁଲୁଥିବା ବେଳେ ଚୋର ସନ୍ଦେହରେ ତାଙ୍କୁ ବାନ୍ଧି ମାଡ଼ ମାରିଥିଲେ କିଛି ଗ୍ରାମବାସୀ । ତେବେ ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଏମିତି ପିଟି ପିଟି ମାରିଦେବା ସଭ୍ୟ ସମାଜର ଅସ୍ଥିତ୍ୱ ଉପରେ ଅନେକ ପ୍ରଶ୍ନ ଛିଡ଼ା କରିଛି । ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ମଧ୍ୟ ଦାବି ଜୋର ଧରିଛି ।