ପୁଣି ଅଶାନ୍ତ ହେଲା କାଶ୍ମୀର । ସରକାରଙ୍କ ବିରୋଧରେ ତେଜିଲା ଆକ୍ରୋଶ

138

କନକ ବ୍ୟୁରୋ : କିଛି ଦିନ ନ ଯାଉଣୁ ପୁଣି କଶ୍ମୀରପଣ୍ଡିତଙ୍କୁ ଟାର୍ଗେଟ କରି ତାଣ୍ଡବ କରିଛନ୍ତି ଆତଙ୍କବାଦୀ ।  ଶୁକ୍ରବାର ଦକ୍ଷିଣ କଶ୍ମୀରର ଶୋପିଆନର ଚୌନ୍ଦରିଗୁଣ୍ଡରେ ଜଣେ କଶ୍ମୀରପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପୁରଣ କୃଷ୍ଣ ଭଟ୍ଟ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମେଡିକାଲରେ ଭର୍ତି କରାଯାଇଥିଲା, ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ଜୋରଦାର ବିକ୍ଷୋଭ କରାଯାଇଛି । ଘଟଣାକୁ ବିଜେପି ନେତା କଡା ନିନ୍ଦା କରିବା ସହ ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ।

କଶ୍ମୀରପଣ୍ଡିତଙ୍କୁ ହତ୍ୟା ଘଟଣାପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଘଟଣାସ୍ଥଳକୁ ସମ୍ପୂର୍ଣ୍ଣଭାବେ ଘେରାବନ୍ଦୀ କରାଯାଇଛି । ଜମ୍ମୁକଶ୍ମୀର ପୁଲିସ ସ୍ଥାନୀୟ ଲୋକଙ୍କୁ ଆଲର୍ଟ ରହିବା ପାଇଁ କହିଛି । ଘଟଣାପଛରେ ସ୍ଥାନୀୟ ଆତଙ୍କବାଦୀଙ୍କ ହାତ ଥିବା କହିଛି ପୁଲିସ ।

ଯଦି ନଜର ପକାଇବା ତେବେ ୨୦୨୨ ଉପରେ ତେବେ ଚଳିତବର୍ଷ ଅନେକ କଶ୍ମୀର ପଣ୍ଡିତ ଓ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।

କାଶ୍ମୀରରେ ଟାର୍ଗେଟ କିଲିଂ ୨୦୨୨:
• ଅଗଷ୍ଟ ୧୫ରେ ଦୁଇଜଣ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ
• ମେ ୧୩ରେ କୁଲଗାମରେ ଜଣେ ଶିକ୍ଷୟତ୍ରୀଙ୍କୁ ହତ୍ୟା
• ମେ ୧୨ରେ ବଡଗାମରେ ରାହୁଲ ଭଟ୍ଟଙ୍କୁ ହତ୍ୟା
• ଜୁନ ୨ରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ହତ୍ୟା

ଘଟଣାକୁ ନେଇ ପୁଣି ଥରେ ତାତି ଉଠିଛନ୍ତି କଶ୍ମୀରବାସୀ ଓ କଶ୍ମୀରପଣ୍ଡିତ । ସ୍ଥାନେ ସ୍ଥାନେ ଏହାର ପ୍ରତିବାଦ କରିଛନ୍ତି । ଜମ୍ମୁକଶ୍ମୀର ସରକାର ଓ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ଘଟଣା ପାଇଁ ଏମାନେ ଦାୟୀ କରିଛନ୍ତି । ଏଥିସହ ସେମାନେ ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି । ୧୯୯୦ ମସିହାର ଘଟଣା ପୁଣି ପୁନରାବୃତି ହେଉଛି ହେଲେ ସରକାର ଚୁପ ବସିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଚଳିତବର୍ଷ ଏପ୍ରିଲ, ମେ ଓ ଜୁନ ମାସରେ କଶ୍ମୀରପଣ୍ଡିତଙ୍କ ଉପରେ ଆକ୍ରମଣ ଓ ହତ୍ୟା ସବୁଠୁ ଅଧିକ ହୋଇଛି । ସେପଟେ ଭୟଭୀତ ହୋଇ କଶ୍ମୀରପଣ୍ଡିତ ଘାଟି ଛାଡି ଚାଲିଯାଉଥିବାବେଳେ ଏମାନଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେଇ ପୁଣି ଥରେ ଥଇଥାନ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଶୁକ୍ରବାର ପୁଣି ଟାର୍ଗେଟ କିଲିଂ ଘଟଣା ଭୟର ବାତାବରଣ ଖେଳାଇଛି ।