ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ । ୧୮ ତାରିଖରେ ଘୂର୍ଣ୍ଣିବଳୟ, ୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର ।

432

କନକ ବ୍ୟୁରୋ: ୧୮ରେ ଘୂର୍ଣ୍ଣିବଳୟ, ୨୦ରେ ଲଘୁଚାପ କ୍ଷେତ୍ର । ୧୮ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଓ ତା’ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ରବିବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ୟେଲୋ ୱାଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • ୧୮ରେ ଘୂର୍ଣ୍ଣିବଳୟ, ୨୦ରେ ଲଘୁଚାପ କ୍ଷେତ୍ର
  • ଅଧିକ ଘନିଭୂତ ହୋଇ ନେଇପାରେ ଅବପାତର ରୂପ

୧୮ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଓ ତା’ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଏହା ମୁହାଁଇବ ଏବଂ ପଶ୍ଚିମ-କେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ପରିଣତ ହୋଇପାରେ । ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବା ଆଶଙ୍କା କରାଯାଉଛି । ତେବେ ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହେବ କି ନାହିଁ, ଏ ନେଇ କିଛି ଆକଳନ କରାଯାଇନାହିଁ । ତେବେ ଅଧିକ ଘନିଭୂତ ହେବା ନେଇ ଅନୁକୂଳ ବାତାବରଣ ରହିଛି ।

  • ଲଘୁଚାପ ଆହୁରି ଘନିଭୂତ ହୋଇ ଅବପାତର ରୂପ ନେଇପାରେ
  • ପରବର୍ତ୍ତୀ ସମୟରେ ଏହା ଆହୁରି ଘନିଭୂତ ହେବ କି ନାହିଁ ଜଣାପଡ଼ିବ
  • ଅଧିକ ଘନିଭୂତ ହେବା ନେଇ ଅନୁକୂଳ ବାତାବରଣ ରହିଛି

ଏପଟେ ରବିବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ୟେଲୋ ୱାଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଦେଶୀ ପାଣିପାଗ ମଡେଲ ବାତ୍ୟା ନେଇ ଆକଳନ କରୁଥିବା ବେଳେ ୨୦ ତାରିଖରେ ଲଘୁଚାପ ଏବଂ ପରବର୍ତୀ ସମୟରେ ଅବପାତର ରୂପ ନେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ଅକ୍ଟୋବର ମାସରେ ଏକ ବାତ୍ୟା ନେଇ ଯେଉଁ ଆଶଙ୍କା ରହିଛି, ତାହା ଦୂର ହୋଇନାହିଁ । ୨୦ ତାରିଖ ବେଳକୁ ବାତ୍ୟା ନେଇ ଚିତ୍ର ଅଧିକ ସ୍ପଷ୍ଟ ହେବ ।

ଦକ୍ଷିଣ ଚାଇନା ସାଗରରେ ଏହି ସିଷ୍ଟମ ଗତି କରୁଛି । ସ୍ଥଳଭାଗରେ ଥିବାରୁ କ୍ରମଶଃ ଦୁର୍ବଳ ହେଉଥିବା ବେଳେ ପୁଣିଥରେ ବଙ୍ଗୋପସାଗରରେ ଶକ୍ତି ପାଇ ଘୂର୍ଣ୍ଣିବଳୟ ସୃଷ୍ଟି କରିବ । ଜିଏଫଏସ୍ ମଡେଲକୁ ଆଧାର କରି ପୂର୍ବାନୁମାନ କରୁଛନ୍ତି ବିଦେଶୀ ପାଣିପାଗ ସଂସ୍ଥା । କିନ୍ତୁ ୨୦ ତାରିଖ ବେଳକୁ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ସ୍ଥିତି, ଗତି, ବେଗ ଆଦି ସ୍ପଷ୍ଟ ହେବ । ସେ କହିଛନ୍ତି, ଅକ୍ଟୋବର ବାତ୍ୟା ଋତୁ । ଏହି ସମୟରେ ବାତ୍ୟା ହେଲେ ରି-କର୍ଭ ହେବା ସମ୍ଭାବନା ରହିଥାଏ । ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶରେ ଲ୍ୟାଣ୍ଡଫଲ ହୋଇଥାଏ । ୨୦୧୩ ଅକ୍ଟୋବର ମାସରେ ବାତ୍ୟା ‘ଫାଇଲିନ୍’ ଓଡ଼ିଶାରେ ଲ୍ୟାଣ୍ଡଫଲ କରିଥିଲା ।

  • ୨୦ ତାରିଖ ବେଳକୁ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ
  • ସ୍ଥିତି, ଗତି, ବେଗ ଆଦି ସ୍ପଷ୍ଟ ହେବ
  • ଅକ୍ଟୋବର ବାତ୍ୟା ଋତୁ
  • ଏହି ସମୟରେ ବାତ୍ୟା ହେଲେ ରି-କର୍ଭ ହେବା ସମ୍ଭାବନା
  • ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶରେ ଲ୍ୟାଣ୍ଡଫଲ ହୋଇଥାଏ
  • ୨୦୧୩ ଅକ୍ଟୋବର ମାସରେ ବାତ୍ୟା ‘ଫାଇଲିନ୍’ ଓଡ଼ିଶାରେ ଲ୍ୟାଣ୍ଡଫଲ କରିଥିଲା

ଏପଟେ ଓଡ଼ିଶାରୁ ମୌସୁମୀ ଅପସାରଣ ହେବା ପ୍ରକ୍ରିୟା ଆରମ୍ଭ ହେବା ନେଇ ବାତାବରଣ ଅନୁକୂଳ ରହିଛି । ଫଳରେ ସମୁଦ୍ରର ଉପର ଓ ତଳ ଭାଗ ମଧ୍ୟରେ ବାୟୁପ୍ରବାହ ତାରତମ୍ୟ ହ୍ରାସ ପାଇବ । ଯାହା ବାତ୍ୟା ପାଇଁ ଅନୁକଳ ପରିବେଶ ସୃଷ୍ଟି କରିପାରେ ।