ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ନଡିଆ ତେଲ: ଶୁଖିଲା ନଡିଆରୁ ତେଲ ପ୍ରସ୍ତୁତ କରି ମାସକୁ ୪ ହଜାର ଟଙ୍କା ରୋଜଗାର କରୁଛନ୍ତି ଗାଁର ମହିଳା

650

କନକ ବ୍ୟୁରୋ: ମାଲାମାଲ କରୁଛି ମରା ନଡିଆ ତେଲ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ଆତ୍ମନିର୍ଭରଶୀଳ କରିଛି ଶୁଖିଲା ନଡିଆ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ପାରକେଣା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଶ୍ରୀରାଧା ମରା ନଡିଆ ତେଲ ପ୍ରସ୍ତୁତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତେବେ ଏହି ନଡିଆ ତେଲ ପଛରେ ରହିଛି ମହିଳାମାନଙ୍କ ପରିଶ୍ରମ ଆଉ ପରିଚୟ । ନଡିଆ ଓ ପଇଡକୁ ନେଇ ଚର୍ଚ୍ଚିତ ସତ୍ୟବାଦୀ ବ୍ଲକର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ମରା ନଡିଆ ତେଲ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି ହେବା ସହ ଲୋକଙ୍କ ଆଦର ମଧ୍ୟ ପାଲଟିଛି ।

ସତ୍ୟବାଦୀ ପାରକେଣା ଶ୍ରୀରାଧା ମରା ନଡିଆ ତେଲର ବେଶ ଚାହିଦା ରହିଛି । ଏହି ନଡ଼ିଆ ତେଲ ପ୍ରସ୍ତୁତ କରନ୍ତି ଗାଁର ୫୦ରୁ ଅଧିକ ମହିଳା । ନଡିଆକୁ କୋରି ତାକୁ ରାନ୍ଧି ତେଲ ପ୍ରସ୍ତୁତ କରାଯାଏ । ଏହାସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ମରା ନଡିଆ ତେଲ, ମୁଗ ଡାଲି ଓ ବଡି ବି ତିଆରି କରୁଛନ୍ତି ।

ତେବେ ଏସବୁ କରି ମହିଳାମାନେ ମାସିକ ୩ରୁ ୪ ହଜାର ଟଙ୍କା ରୋଜଗାର କରୁଛନ୍ତି । ହେଲେ ବାତ୍ୟା ଫୋନିରେ ନଡିଆ ଗଛ ଭାଙ୍ଗି ଯିବାପରେ ନଡିଆର ଅଭାବ ଦେଖାଦେଇଛି । ଆଗରୁ ଗୋଟିଏ ନଡିଆ ୭ରୁ ୧୦ ଟଙ୍କାରେ କିଣୁଥିଲେ । ମାତ୍ର ଏବେ ସେହି ଗୋଟିଏ ନଡିଆ ପାଇଁ ୧୫ରୁ ୨୦ ଟଙ୍କା ଦେବାକୁ ପଡୁଛି ।

ସେପଟେ ହାତ ତିଆରି ଜିନିଷ ବିକ୍ରି ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଅସୁବିଧା ହେଉଥିବା କୁହନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ସତ୍ୟବାଦୀ ମହିଳା ତିଆରି କରୁଥିବା ମରା ନଡିଆ ତେଲ କଟକ ବାଲିଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ମେଳାରେ ଉପଲବ୍ଧ ହୋଇଥାଏ । ତେବେ ମହିଳା ଉଦ୍ୟୋଗୀଙ୍କୁ ଅଧିକ ସରକାରୀ ଅନୁଦାନ ମିଳିଲେ ଉତ୍ପାଦନ ମାତ୍ରା ବଢିପାରନ୍ତା ବୋଲି ମତ ପ୍ରକାଶ ପାଇଛି ।