୩ ଦଳ ପ୍ରସ୍ତୁତ, ମିଳିଲାଣି ସଂକେତ । ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ?

1,819

କନକ ବ୍ୟୁରୋ : ଓଡ଼ିଶାରେ ଏବେ ରାଜନୈତିକ ଉଷ୍ମତା ଅନେକ ଦିଗକୁ ଇଙ୍ଗିତ କରୁଛି । ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଯେଉଁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ତାହା କିଛି ଭିନ୍ନ ସଂକେତ ଦେଉଛି । ଏଭଳି ରାଜନୈତିକ ବୟାନବାଜି ମୁଖ୍ୟତଃ ନିର୍ବାଚନ ସମୟରେ ଅଧିକ ଦେଖିବାକୁ ମିଳେ । କିନ୍ତୁ ଓଡ଼ିଶାରେ ନିର୍ବାଚନ ହେବାକୁ ତ ଆହୁରି ବର୍ଷେ ସମୟ ବାକି ଅଛି । ତେଣୁ ଏତେ ଆଗରୁ କାହିଁକି ରାଜନୈତିକ ଦଳ ଗୁଡିକ ପକ୍ଷରୁ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି । ଏହା ପଛର କାରଣ ଆଗୁଆ ନିର୍ବାଚନ ନୁହେଁ ତ ? ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ପୂର୍ବରୁ ଚର୍ଚ୍ଚା କିଛି କମ ହୋଇନାହିଁ । ଆଉ ଏବେ ଏହି ଚର୍ଚ୍ଚାକୁ ବଳ ଯୋଗାଉଛି ରାଜନୈତିକ ଦଳ ଗୁଡିକର ପ୍ରସ୍ତୁତି । ସାଧାରଣ ନିର୍ବାଚନକୁ ନେଇ କୌଣସି ସ୍ପଷ୍ଟ ସଂକେତ ମିଳିନଥିବା ବେଳେ ବିଜେଡି ଢେର ଆଗରୁ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ସେହିଭଳି କଂଗ୍ରେସ ମଧ୍ୟ ଆଗାମୀ ନିର୍ବାଚନ ପାଇଁ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ନାଁ ଘୋଷଣା କରି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ବିଜେପି ମଧ୍ୟ ଏହି ରେସରେ ପଛରେ ନାହିଁ । ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଓଡ଼ିଶା ଗସ୍ତ ହିଁ ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ସଂକେତ ଦେଉଥିବା ଚର୍ଚ୍ଚା ହେଉଛି ।

କେବଳ ଏତିକି ନୁହେଁ ରାଜନୈତିକ କରିଡରରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବିଜେଡି ଅତି ଗୁପ୍ତ ଢଙ୍ଗରେ ନିଜର ସର୍ଭେ ଶେଷ କରିଛି । ଜିଲ୍ଲାୱାରୀ କେଉଁ ଆସନରେ ବିଜେଡିର ସଙ୍ଗଠନ ଅଧିକ ସୁଦୃଢ ରହିଛି ତାହାର ପୂରା ରିପୋର୍ଟକାର୍ଡ ଦଳର ସୁପ୍ରିମୋଙ୍କ ପାଖରେ ପହଞ୍ଚିଛି । ଯେଉଁ ରିପୋର୍ଟ କାର୍ଡ ଆଧାରରେ ଦଳ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି । ସେହିଭଳି ନବୀନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ମଧ୍ୟ ଆଗୁଆ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି ବୋଲି ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି । ସେହିଭଳି କେନ୍ଦ୍ରମନ୍ତ୍ରୀ ଘନ ଘନ ଓଡ଼ିଶା ଗସ୍ତକରି ବିଜେପି ସଙ୍ଗଠନକୁ ସୁଦୃଢ କରିବାକୁ ମନ୍ତ୍ର ଦେଉଛନ୍ତି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶାରେ ଆଗୁଆ ନିର୍ବାଚନ ହେବା ସଂକେତ ଦେଇଛନ୍ତି । ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପରେ ଓଡ଼ିଶା କଂଗ୍ରେସ ମଧ୍ୟ ବେଶ ସକ୍ରିୟ ହୋଇଛି । ଆଗୁଆ ନିର୍ବାଚନର ଆଭାସ ପାଇବା ମାତ୍ରେ ଦଳ ନିଜର ପ୍ରସ୍ତୁତିକୁ ଦ୍ୱିଗୁଣିତ କରିଛି । ଏପରିକି ଦଳ ଆଗୁଆ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ବିଜୟ ପଟ୍ଟନାୟକଙ୍କ ନାଁ ଘୋଷଣା କରି ମାରିଛି ମାଷ୍ଟରଷ୍ଟ୍ରୋକ । ତେଣୁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଏଭଳି ତତ୍ପରତା, ଓଡ଼ିଶାରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ବଳ ଯୋଗାଉଛି ।

କେବଳ ଏତିକି ନୁହେଁ ଆଗାମୀ ନଭେମ୍ବରରୁ ଜାନୁଆରୀ ମଧ୍ୟରେ ମିଜୋରାମ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଓଡ଼ିଶା ବିଧାନସଭା ନିର୍ବାଚନ ଏହି ସମୟରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଆଗୁଆ ନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ବୋଲି ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି । କିନ୍ତୁ ଆଗୁଆ ନିର୍ବାଚନ ହେଲେ କାହାକୁ ସବୁଠୁ ଅଧିକ ଫାଇଦା ମିଳିବ ଓ କିଏ ଘାଟାରେ ପଡିବ ତାହାର ଆକଳନ କରିବା କଷ୍ଟକର ।