ଉତ୍ତର ପ୍ରଦେଶରେ ପୁଣି ଏନକାଉଣ୍ଟର, ଜାମିନରେ ଆସିଥିବା ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କଲା ଏସଟିଏଫ

598

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନା ଉତ୍ତର ପ୍ରଦେଶ ଏସଟିଏଫର ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । କିଛିଦିନ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଟପ୍ ୬୫ ଜଣ ମାଫିଆଙ୍କ ନାମ ଜାରି କରିଥିଲା । ଏଥିରେ ଗ୍ରେଟର ନୋଏଡାର ଅନୀଲ ଦୁଜାନାଙ୍କ ନାମ ମଧ୍ୟ ଥିଲା । କୁଖ୍ୟାତ ଅପରାଧୀ ଅନୀଲ ଦୁଜାନା ଅନେକ ଦିନ ହେବ ତିହାଡ ଜେଲରେ ବନ୍ଦୀଥିଲା । ହେଲେ କିଛିଦିନ ଆଗରୁ ସେ ଜାମିନରେ ବାହାରିଥିଲା ।

ଜାମିନରେ ଆସିବା ପରେ ଅନୀଲ ଦୁଜାନା ଜୟଚନ୍ଦ ପ୍ରଧାନ ହତ୍ୟା ମାମଲାରେ ଜୟଚନ୍ଦଙ୍କ ପତ୍ନୀ ଓ ସାକ୍ଷୀ ସଂଗୀତାଙ୍କୁ ଧମକ ଦେବା ଆରମ୍ଭ କରିଥିଲା । ଏନେଇ ଗତ ସପ୍ତାହରେ ଅନୀଲ ନାମରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଦୁଜାନାକୁ ଗିରଫ କରିବାକୁ ନୋଏଡା ପୋଲିସର ସ୍ପେଶାଲ ସେଲ ଓ ଏସଟିଏଫ ବା ସ୍ପେଶାଲ ଟାକ୍ସ ଫୋର୍ସ ଚଢାଉ ଆରମ୍ଭ କରିଥିଲା । ହେଲେ ଆଜି ପୋଲିସ ଓ ଏସଟିଏଫ ଦୁଜାନାକୁ ଗିରଫ କରିବାକୁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଅନୀଲ ଦୁଜାନାର ମୃତ୍ୟୁ ହୋଇଛି । ଅନୀଲ ଦୁଜାନା ଉପରେ ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ୫୦ଟି ହତ୍ୟା ମାମଲା ସହ ଚୋରୀ ଓ ଠକେଇ ଭଳି ଅନେକ ମାମଲା ରହିଛି ।

ଉତ୍ତର ପ୍ରଦେଶରେ ହେଉଥିବା ଏନକାଉଣ୍ଟରରେ ଏବେ ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନାଙ୍କ ନାମ ଯୋଡି ହୋଇଛି । ଏପ୍ରିଲ ମାସରେ ଉମେଶ ପାଲ ହତ୍ୟାକାଣ୍ଡରେ ଅଭିଯୁକ୍ତ ଅସଦ ଓ ତାର ସହଯୋଗୀ ଗୁଲାମକୁ ପୋଲିସ ଏନକାଉଣ୍ଟର କରିଥିଲା । ଏହାକୁ ନେଇ ଉତ୍ତର ପ୍ରଦେଶ ରାଜନୀତି ବେଶ୍ ସରଗରମ ହୋଇଥିଲା ।