ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସହ ୪ ରାଜ୍ୟର ସଭାପତି ପଦ ଖାଲି । ପଦବୀ ପାଇଁ କାହାକୁ ବାଛିପାରନ୍ତି ଶୀର୍ଷ ନେତା?

ସାଧାରଣ ନିର୍ବାଚନ ସରିବା ପରେ କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠିତ ହୋଇସାରିଲାଣି

449
କନକ ବ୍ୟୁରୋ : ସାଧାରଣ ନିର୍ବାଚନ ସରିବା ପରେ କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠିତ ହୋଇସାରିଲାଣି । ବିଜେପି ବିଜୟୀ ହେବାପରେ ଅନେକ ରାଜ୍ୟର ସଭାପତି ଓ ଏପରିକି ରାଷ୍ଟ୍ରୀୟ ସଭାପତି ଚଳିତଥର ଗୃହମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଛନ୍ତି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବିଜେପିରେ ଏବେ କେତେକ ପଦବୀ ଖାଲି ପଡ଼ିବ ବୋଲି କୁହାଯାଉଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ହେବାପରେ ସେହି ପଦ ଛାଡ଼ିବେ ସେ। ଏଣୁ ଏହି ପଦବୀ ଖାଲି ହେବ। ଖାଲି ସେତିକି ନୁହେଁ ଚାରିଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ଏବେ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ଭାର ସମ୍ଭାଳିବା ପରେ ସେହି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷଙ୍କ ସ୍ଥାନ ବି ଖାଲିହେବ। ବିଜେପିର ଜଣେ ବ୍ୟକ୍ତି ଗୋଟିଏ ପଦ ସିଦ୍ଧାନ୍ତ ଥିବା ହେତୁ ଏସବୁ ସ୍ଥାନ ପୂରଣ କରିବାକୁ ଉପଯୁକ୍ତ ନେତାଙ୍କର ଖୋଜା ଚାଲିଛି।

ଉତ୍ତର ପ୍ରଦେଶର ବିଜେପି ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେ ଏବେ ଦକ୍ଷତା ବିକାଶ ମନ୍ତ୍ରୀ ତାଙ୍କ ବଦଳରେ ନିର୍ବାଚନ ହାରିଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନାଙ୍କ ପ୍ରଦେଶ ଅଧ୍ୟକ୍ଷ କରାଯିବ ବୋଲି ଚର୍ଚ୍ଚା ହେଉଛି। ବିହାର ବିଜେପି ଅଧ୍ୟକ୍ଷ ନିତ୍ୟାନନ୍ଦ ରାୟ ଗୃହ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ଶୁଣିବାକୁ ମିଳୁଛି ଯେ ପୂର୍ବତନ କୃଷି ମନ୍ତ୍ରୀ ରାଧାମୋହନ ସିହଙ୍କୁ ବିହାରର ନୂତନ ପ୍ରଦେଶ ଅଧ୍ୟକ୍ଷ କରାଯିବ। ତେଲଙ୍ଗାନା ବିଜେପି ଅଧ୍ୟକ୍ଷ କିଶନ ରେଡି ଗୃହ ରାଜ୍ୟ ମନ୍ତ୍ରୀ ହେବାପରେ ସେ ବି ପ୍ରଦେଶ ଅଧ୍ୟକ୍ଷ ପଦବୀ ଛାଡ଼ିବେ। ଅପରପକ୍ଷରେ ମହାରାଷ୍ଟ୍ର ପ୍ରଦେଶ ଅଧ୍ୟକ୍ଷ ରାଓ ସାହେବ ଦାନବେ ଖାଉଟି କଲ୍ୟାଣ ରାଜ୍ୟ ମନ୍ତ୍ରୀ ହେବାପରେ ସେ ପ୍ରଦେଶ ଅଧ୍ୟକ୍ଷ ପଦବୀ ଛାଡ଼ିବେ।ଏଣେ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ରାଜସ୍ଥାନ ବିଜେପି ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ହେଉଛି। ତେବେ କେଉଁ ରାଜ୍ୟରେ କିଏ ସଭାପତି ହେବେ ତାହା ସ୍ଥିର ହୋଇନଥିଲେ ମଧ୍ୟ ଏବେଠାରୁ ବିଭିନ୍ନ ନେତାଙ୍କ ନାଁରେ ଚର୍ଚ୍ଚା ଜୋର ଧରିଛି ।