ପନିପରିବା ଚାଷ କରଛି ସ୍ୱାବଲମ୍ବୀ: ଦାଦନ ଛାଡ଼ି ଚାଷ କରି ହେଲେ ଆତ୍ମନିର୍ଭର, ବର୍ଷକୁ କରୁଛନ୍ତି ୨ଲକ୍ଷରୁ ଅଧିକ ରୋଜଗାର

65

କନକ ବ୍ୟୁରୋ: ଭାଗ୍ୟ ବଦଳାଇଦେଲା କରୋନା । କରୋନା ସମୟରେ ଦଦାନଙ୍କ ଦୁଃଖ ସମସ୍ତଙ୍କୁ ମର୍ମାହାତ କରିଥିଲା । କାମ ଧନ୍ଦା ହରାଇ ନିଜ ଭିଟାମାଟିକୁ ଫେରିଥିଲେ ହଜାର ହଜାର ଶ୍ରମିକ । ଏପରିକି ଭୋକ ଉପାସରେ ମଧ୍ୟ ଅନେକ ଦିନ କାଟିଥିବାର ଚିିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ବ୍ୟକ୍ତିଙ୍କ କାହାଣୀ ଦେଖାଇବୁ ଯାହା ଆପଣଙ୍କୁ ଖୁସି କରାଇଦବ ନିଶ୍ଚୟ । ବାଙ୍ଗିରପୋଷି ବ୍ଲକ ଜୁନା ଗାଁର ସନ୍ତୋଷ ନାଏକ କରୋନା କାଳରେ କାମ ହରାଇଥିଲେ । ନିଜସ୍ୱ ପ୍ରଚେଷ୍ଟାରେ ପନିପରିବା ଚାଷ କରି ଏବେ ଅନ୍ୟମାନଙ୍କ ପାଇଁ ରୋଲ ମଡ଼େଲ ପାଲଟିଛନ୍ତି । ଜଣେ ସଫଳ ଚାଷୀ ଭାବେ ଭଲ ଦି ପଇସା ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ।

କରୋନା ବଦଳାଇଦେଲା ଜୀବନ ଜୀବିକା । କଲିକତାରେ ମାଳି କାମ କରୁଥିବା ସୁଶାନ୍ତ ଏବେ ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ଚାକିରୀ କରି ମାସକୁ ମାତ୍ର ୭ ହଜାର ଟଙ୍କା ପାଉଥିବା ସୁଶାନ୍ତ ଏବେ ବର୍ଷକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଆମେ କହୁଛୁ, ମୟୁରଭଂଜ ବାଙ୍ଗିରିପୋଷି ବ୍ଲକ ଜୁନା ଗାଁର ସୁଶାନ୍ତ ନାଏକ କଥା । ବୟସ ୪୩ ଛୁଇଁଲାଣି । ଦିନେ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ ସୁଶାନ୍ତ । ଆଉ ଏବେ ନିଜ ପରିଶ୍ରମ ବଳରେ ଜଣେ ସଫଳ ଚାଷୀ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

କଲିକତାର ଏକ ଫ୍ୟାକ୍ଟ୍ରିର ଫୁଲ ବଗିଚାରେ ୧୩ ବର୍ଷ ଧରି ମାଳି କାମ କରୁଥିଲେ ସୁଶାନ୍ତ । କରୋନା ସମୟରେ ଫ୍ୟାକ୍ଟ୍ରି ବନ୍ଦ ହୋଇଯିବାରୁ ସୁଶାନ୍ତ କାମ ଧନ୍ଦା ହରାଇ ଘରେ ବସିଥିଲେ । ଏହା ପରେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଚାଷୀଙ୍କ ଜମିକୁ ଲିଜରେ ନେଇ ପନିପରିବା ଚାଷ ଆରମ୍ଭ କଲେ । ଧିରେ ଧିରେ ଏହି ଚାଷ ତାଙ୍କୁ ଲାଭ ଦେବା ସହ ତାଙ୍କୁ ରୋଜଗାରର ବାଟ ମିଳିଯାଇଥିଲା । ପାଖାପାଖି ୩ ଏକର ଜମିରେ ବାଇଗଣ, ବିଲାତି, ବିନ୍ସ, ମଟର, ସିମ୍ବ, ଲଙ୍କା, କୁନ୍ଦୁରି, ମୁଗ, ବିରି ଏବଂ ସୋରିଷ ଚାଷ କରିଛନ୍ତି ସୁଶାନ୍ତ । ଆଉ ଏଥିରେ ତାଙ୍କୁ ସୁଶାନ୍ତଙ୍କ ସ୍ତ୍ରୀ ନେତ୍ରମଣି ସହଯୋଗ କରନ୍ତି ।

ଚାଷ କାମ ପାଇଁ ବର୍ଷକୁ ୮୦ ହଜାର ଟଙ୍କା ନିବେଶ କରନ୍ତି ସୁଶାନ୍ତ । ୨୦୧୯ରୁ ଚାଷ କାମ ଆରମ୍ଭ କରିଥିବା ସୁଶାନ୍ତ ଏବେ ବର୍ଷକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଲାଭ ପଇସାରେ ପରିବାର ଚଳାଇ ଚାଷ କମରେ ବ୍ୟବହୃତ ଯନ୍ତ୍ରପାତି ଏବଂ ନିଜ ପାଇଁ ଏକ ମଟର ସାଇକେଲ ମଧ୍ୟ କିଣିଛନ୍ତି ସୁଶାନ୍ତ । ନିଜେ ସଫଳ ହେବା ପରେ ସ୍ଥାନୀୟ ଅଂଚଳର ଯୁବକ ମାନେ ଆଉ ଦାଦନ ଖଟିବାକୁ ନଯାଇ ଚାଷ କାମରେ ମନୋନିବେଶ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ଚାକିରି ପଛରେ ପଡ଼ି ବେକାର ବୁଲିବା ଅପେକ୍ଷା ନିଜେ କିଛି କରିବାକୁ ଉଦ୍ୟମ କଲେ ସଫଳତା ଆପେ ଆପେ ଆସିଯାଏ । ଯାହା ସୁଶାନ୍ତଙ୍କ କହାଣୀରୁ ସହଜରେ ଅନୁମେୟ । ସଫଳ ଚାଷୀ ସୁଶାନ୍ତଙ୍କ ସଂଘର୍ଷର କାହାଣୀ ଏବେ ଅନ୍ୟ ମାନଙ୍କ ପ୍ରେରଣା ସଦୃଶ ହୋଇଛି ।