ପ୍ରତୀକ୍ଷାର ହେଲା ଅନ୍ତ, ରାଜ୍ୟରେ ଆରମ୍ଭ ହେଲା ୫-ଜି। କଟକ ଓ ଭୁବନେଶ୍ୱରରେ ମିଳିଲା ସେବା।

165

କନକ ବ୍ୟୁରୋ: ପ୍ରତୀକ୍ଷାର ହେଲା ଅନ୍ତ । କଟକ ଓ ଭୁବନେଶ୍ୱରରେ ଆରମ୍ଭ ହେଲା ୫-ଜି ସେବା । ସେହି ମୁହୂର୍ତ, ଯାହାକୁ ଅପେକ୍ଷା କରି ରହିଥିଲେ ରାଜ୍ୟବାସୀ ତାହା ଆସି ପହଞ୍ଚିଥିଲା । ୫-ଜି ମୋବାଇଲ୍ ନେଟୱର୍କରେ ଯୋଡ଼ି ହୋଇଛି କଟକ ଓ ଭୁବନେଶ୍ୱର । ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପକ୍ଷରୁ ୫-ଜି ସେବା ଆରମ୍ଭ ହୋଇଛି । କେନ୍ଦ୍ର ରେଳ ଏବଂ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାର ଲୋକାର୍ପଣ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ଓଡ଼ିଶାରେ ମିଳିବ ୫-ଜି ସେବା । ୨୦୨୪ ଅଗଷ୍ଟ ୧୫ ପୂର୍ବରୁ ସାରା ଓଡ଼ିଶାରେ ଟାୱର କାମ ସରିଯିବ । ୪-ଜି ଓ ୫-ଜି ଦର ପାଖାପାଖି ସମାନ ରହିବ । ୨୦୨୪ ସୁଦ୍ଧା ବିଏସଏନଏଲ ୫-ଜି ସେବା ଆରମ୍ଭ କରିବ ।
ଏବେ ନଜର ପକାନ୍ତୁ ୫-ଜିରୁ କ’ଣ ମିଳିବ ଲାଭ ।
୫-ଜି: କ’ଣ ମିଳିବ ଲାଭ?
୫-ଜିରେ ଆଖି ପିଛୁଳାକେ ଖୋଲିଯିବ ୱେବ୍ପେଜ୍
ମାତ୍ର ୨୦ ସେକେଣ୍ଡରେ ଡାଉନଲୋଡ ହେବ ୨ ଜିବି ଫିଲ୍ମ
ବିନା ବଫରିଂରେ ହୋଇପାରିବ ଭିଡିଓ ଷ୍ଟ୍ରିମିଂ
ଚାଷଜମିର ରକ୍ଷଣାବେକ୍ଷଣରେ ଡ୍ରୋନ ବ୍ୟବହାର ସହଜ ହେବ
ବିନା ଡ୍ରାଇଭରରେ ଚାଲୁଥିବା ଗାଡ଼ିକୁ ସହଜରେ ନିୟନ୍ତ୍ରଣ କରିହେବ

ଓଡ଼ିଶା ୫-ଜି ସେବା ଆରମ୍ଭ ହୋଇଥିବା ବେଳେ ବିଜେଡି ଅଭିଯୋଗ କରିଛି ୫-ଜି ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି । ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ୬୨୭୮ ଗାଁରେ ନାହିଁ ମୋବାଇଲ ନେଟୱର୍କ ଓ ଇଂଟରନେଟ୍ ସେବା । ଟେଲି ଘନତ୍ୱ କ୍ଷେତ୍ରରେ ଦେଶର ୫ଟି ପଛୁଆ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଏହାର ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଟେଲି ଘନତ୍ୱ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ । ଓଡ଼ିଶାକୁ ୫୬୦୦ କୋଟି ଟଙ୍କା ମଂଜୁର କରିଛନ୍ତି ମୋଦୀ ସରକାର । ରାଜ୍ୟ ସରକାର ଜାଗା ଯୋଗାଇଦେଲେ ଶୀଘ୍ର କାମ ହୋଇଯିବ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ୫-ଜି ସେବା ଆରମ୍ଭ କରିବାର ଯୋଜନା ଥିଲା, କିନ୍ତୁ ଓଡ଼ିଶାରେ ଶୀଘ୍ର ସେବା ଆରମ୍ଭ ହେଲା । ଏହାସହ ୧୦୦ଟି ୪-ଜି ଟାୱାରର ଉଦଘାଟନ କରାଗଲା । ମାସକୁ ମାସ ଟାୱାର ବସିବ । କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦାୟତ୍ୱ ଜାଗା ଯୋଗାଇଦେବା ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।