ଆରମ୍ଭ ହେଲା ହକି ମହାକୁମ୍ଭ । କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଦୁଇଟି ମ୍ୟାଚରେ ଜିତିଲେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ । ବିର୍ସାମୁଣ୍ଡା ଷ୍ଟାଡିୟମରେ ହାଇଭୋଲଟେଜ ଲଢେଇ

85

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ହକି ମହାକୁମ୍ଭର ଅସଲ ଲଢ଼େଇ । ପ୍ରଥମ ଦିନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ୍ ଖେଳାଯାଇଥିବାବେଳେ, ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଛି ଦୁଇଟି ମ୍ୟାଚ ।

ଅଭୁତପୂର୍ବ ଉତ୍ସାହ । ମୁହଁରେ ତ୍ରିରଙ୍ଗା ଚିତ୍ର, ହାତରେ ହକି ମ୍ୟାଚର ଟିକେଟ୍ । ଓଡ଼ିଶା ମାଟିରେ ବିଶ୍ୱକପର ମ୍ୟାଚ୍ ଦେଖିବା ପାଇଁ ସମୟ ପୂର୍ବରୁ ପହଞ୍ଚିଯାଇଥିଲେ ଫ୍ୟାନ୍ । ଉଭୟ କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସାମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ମିଳିଛି ହକି ସମର୍ଥକଙ୍କ ଉତ୍ସାହ ।

ହକି ପ୍ରଶଂସକଙ୍କ ଏହି ଉତ୍ସାହ ଭିତରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା, ୨୦୨୩ ବିଶ୍ୱକପର ପ୍ରଥମ ମ୍ୟାଚ୍ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଆର୍ଜେଣ୍ଟିନାକୁ ଭେଟିଥିଲା ଦକ୍ଷିଣ ଆଫ୍ରିକା । ଦୁଇ ଦଳ ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ପ୍ରଥମ ଦୁଇଟି କ୍ୱାର୍ଟରରେ କେହି କାହାରିକୁ ଗୋଲ୍ କରିବାରେ ସଫଳ ହୋଇନଥିଲେ । କିନ୍ତୁ ତୃତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଲେ ମାଇକୋ କାସେଲ୍ଲା । ଚତୁର୍ଥ କ୍ୱାର୍ଟର ଗୋଲ ଶୂନ୍ୟ ରହିବାରୁ ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ କରିଥିଲା ଆର୍ଜେଣ୍ଟିନା ।

ସେହିପରି ଅପରାହ୍ନ ୩ଟାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଏକତରଫା ମ୍ୟାଚ୍ ଜିତିନେଇଛି ଅଷ୍ଟ୍ରେଲିଆ । ୮-୦ ଗୋଲରେ ଫ୍ୟାନ୍ସକୁ ପରାସ୍ତ କରିଛି । ୩ଥର ବିଶ୍ୱ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଆଗରେ ଫ୍ରାନ୍ସ ଦଳ ମ୍ୟାଚରେ ଅତି ଦୁର୍ବଳ ମନେ ହେଉଥିଲା ।

ଏପଟେ ବହୁ ଚର୍ଚ୍ଚିତ ବିର୍ସାମୁଣ୍ଡା ଷ୍ଟାଡିୟମର ଉଦଘାଟନୀ ମ୍ୟାଚ୍ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତ-ସ୍ପେନ୍ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରାଉରକେଲାରେ ଆଜି ବିଶ୍ୱକପର ୨ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି । ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ୱେଲ୍ସ ଭେଟିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ଓ ସ୍ପେନ ମଧ୍ୟରେ ଲଢ଼େଇ ହୋଇଛି ।

ଏସବୁ ଭିତରେ ଆସନ୍ତାକାଲି ବିଶ୍ୱକପ ହକିର ୪ଟି ମ୍ୟାଚ୍ ଖେଳାଯିବ । ଦିନ ଗୋଟାଏରେ ପୁଲ-ସିର ନ୍ୟୁଜିଲାଣ୍ଡ ବନାମ ଚିଲି, ୩ଟାରେ ପୁଲ୍-ସିର ନେଦରଲ୍ୟାଣ୍ଡ ବନାମ ମାଲେସିଆ, ଅପରାହ୍ନ ୫ଟାରେ ପୁଲ-ବି ବେଲଜିୟମ ବନାମ କୋରିଆ ଏବଂ ସନ୍ଧ୍ୟା ୭ଟାରେ ପୁଲ-ବିର ଜର୍ମାନୀ ବନାମ ଜାପାନ, ମୁକାବିଲା ହେବ ।