ଭାରତ ରାଜନୀତି ଇତିହାସର ଆଉ ଜଣେ ହସ୍ତିଙ୍କ ପରଲୋକ ହୋଇଯାଇଛି । ୭୫ ବର୍ଷ ବୟସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ମୃତ୍ୟୁ

145

କନକ ବ୍ୟୁରୋ : ଭାରତ ରାଜନୀତି ଇତିହାସର ଆଉ ଜଣେ ହସ୍ତିଙ୍କ ପରଲୋକ ହୋଇଯାଇଛି । ଦିର୍ଘ ୪୦ ବର୍ଷର ସଫଳ ରାଜନେତା ଜେଡିୟୁର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ ହୋଇଯାଇଛି । ଶରଦଙ୍କ ବିୟୋଗରେ ବିହାର ସରକାର ଦିନିକିଆ ଶୋକ ଘୋଷଣା କରିଛନ୍ତି । ତାଙ୍କର ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ରାହୁଲ ଗାନ୍ଧୀ ଶୁକ୍ରବାର ଶରଦଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଥରେ କାରରେ ଯିବା ସମୟରେ ତାଙ୍କର ଶରଦଙ୍କ ଦେଖା ହୋଇଥିଲା, ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ସମୟରେ ସେ ବିରୋଧୀ ଦଳ ନେତା ଥିଲେ । ଏହା ସତ୍ୱେବି ସେମାନେ ପରଷ୍ପରକୁ ସ୍ନେହ, ସମ୍ମାନ ଦେଉଥିଲେ ବୋଲି କହିଛନ୍ତି ରାହୁଲ ।

ଶରଦଙ୍କ ମୃତ୍ୟୁ ହୋଇଥିବା ନେଇ ଶୁକ୍ରବାର ତାଙ୍କ ଝିଅ ପ୍ରଥମେ ଟୁଇଟ୍ କରି ସୂଚନା ଦେଇଥିଲେ । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ପରେ ତାଙ୍କର ମର ଶରିରକୁ ମଧ୍ୟପ୍ରଦେଶର ପୈତୃକ ଗାଁକୁ ନିଆଯାଇଥିଲା । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଇନ୍ଦିରା ଗାନ୍ଧୀଙ୍କ ସମୟରେ ଶରଦ ଯାଦବ ମୁଖ୍ୟ ବିରୋଧୀ ଭୂମିକା ନିଭାଉଥିଲେ । ସେ ସମୟରେ ସେ ବିରୋଧୀ ଦଳ ନେତା ମଧ୍ୟ ଥିଲେ । ତାଙ୍କର ବିହାର, ମଧ୍ୟପ୍ରଦେଶ ଏବଂ ଉତରପ୍ରଦେଶ ତିନିଟି ରାଜ୍ୟରେ ଦବଦବା ରହିଥିଲା । ସେ ୭ ଥର ଲୋକସଭା ଏବଂ ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବିହାରର ମାଧେପୁରା ୪ ଥର, ମଧ୍ୟପ୍ରଦେଶର ଜବଲପୁରର ୨ ଥର ଓ ଉତର ପ୍ରଦେଶର ବଦାୟୁଁରୁ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କେନ୍ଦ୍ରରେ ଅନେକ ଥର ସେ ମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ ପଦବୀରେ ରହିଛନ୍ତି ।

୨୦୦୩ ମସିହାରେ ଜେଡିୟୁ ଦଳ ଆରମ୍ଭରୁ ଦଳର ସଭାପତି ଥିବା ଶରଦଙ୍କୁ ୨୦୧୬ରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ରାଜ୍ୟସଭାରୁ ଅଯୋଗ୍ୟ ଘୋଷିତ ହେବା ସହ ଦଳରୁ ବହିସ୍କୃତ ହୋଇଥିଲେ । କିନ୍ତୁ ଶରଦ ଭଳି, ଏବେ ଜଣେ ରାଜନେତା ୧୦ ଥର ସଂସଦକୁ ନିର୍ବାଚିତ ହେବା ଏକପ୍ରକାର ଅସମ୍ଭବ କହିଲେ ଭୁଲ ହେବନି ।