ଶବ ବୁଲୁଛି ରାଜ୍ୟକୁ ରାଜ୍ୟ । ପ୍ରଶ୍ନ, କାହିଁକି ହେଉଛି ଏପରି ବିଭ୍ରାଟ  

243

କନକ ବ୍ୟୁରୋ : ଦୁର୍ଘଟଣାର ଦୁଃଖକୁ ବଳି ଯାଇଛି ଶବ ଚିହ୍ନଟ ପ୍ରକ୍ରୀୟା । ପରିସ୍ଥିତି ଏମିତି ହୋଇଛି ଗୋଟିଏ ସହରରୁ ଅନ୍ୟ ସହରକୁ ବୁଲୁଛି ଶବ । ଶବ ବୁଲିବାର ବିହାର କାହାଣୀ ଏବେ ଚର୍ଚ୍ଚାରେ । ବିହାରର ରାଜା ସାହାଣୀଙ୍କ ଶବ ଘଟଣାକ୍ରମରେ ଯାଇ ପହଂଚିଥିଲା ପଶ୍ଚିମବଙ୍ଗ । ବିଭିନ୍ନ ପ୍ରକାରର ଆରୋପ ପ୍ରତ୍ୟାରୋପ ପରେ ପୁଣି ଶବ ଆସି ପହଂଚିଥିଲା ଭୁବନେଶ୍ୱର । ଡିଏନଏ ଟେଷ୍ଟ ଏବେ ପରିବାର ଲୋକଙ୍କୁ ନିଜ ଆତ୍ମୀୟଙ୍କ ଶବ ପାଖରେ ପହଂଚାଇବାରେ ବିଳମ୍ବ କରାଉଛି । ସେପଟେ ପ୍ରଶ୍ନ ଉଠୁଛି ଏବେ ସବୁ ପ୍ରକ୍ରୀୟା ପରେ ବି ଶବ କେମିତି ପଶ୍ଚିମବଙ୍ଗ ପହଂଚିଗଲା ।

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଏହାରି ଭିତରେ ୮ ଦିନ ବିତିଯାଇଛି । ଦୁର୍ଘଟଣାରେ ହଜାର ହଜାର ଯାତ୍ରୀ ଆହତ ହୋଇଥିଲେ । ସେଥିମଧ୍ୟରୁ କିଛି ସୁସ୍ଥ ହୋଇସାରିଥିବା ବେଳେ ଏବେବି ଅନେକ ଚିକିତ୍ସିତ ହେଉଛନ୍ତି । କଟକ ଏସସିବିରେ ଏବେ ୧୧୧ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ୯୬ ଜଣଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ବର୍ତମାନ ଯେଉଁମାନେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଓଡ଼ିଶାର ୨୩ଜଣ, ପଶ୍ଚିମବଙ୍ଗର ୪୫ଜଣ, ବିହାରର ୩୨ ଜଣ, ଝାଡ଼ଖଣ୍ଡର ୭ଜଣ ରହିଛନ୍ତି । ସେହିପରି ମହାରାଷ୍ଟ୍ର, ତାମିଲନାଡୁ, ଉତରପ୍ରଦେଶ ଓ ନେପାଳର ଜଣେ ଲେଖାଏଁ ଆହତ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ୨୦ଜଣ ଆଇସିୟୁରେ ଭର୍ତି ଅଛନ୍ତି । ତେବେ ଜଣଙ୍କର ପରିଚୟ ମିଳିନଥିବା ବେଳେ ଜଣେ ଗୁରୁତରଙ୍କ ପରିଚୟ ମିଳିଥିବା ସୂଚନା ଦେଇଛନ୍ତି ଏସବିସିର ପ୍ରଶାସନିକ ଅଧିକାରୀ ।