ମଞ୍ଚ ଉପରେ ଟଳି ପଡିଲେ ନୃତ୍ୟଗୁରୁ । ଭଞ୍ଜକଳା ମଣ୍ଡପରେ ଦୀପ ପ୍ରଜ୍ୱଳନ ପରେ ପଡି ଯାଇଥିଲେ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନ

419

କନକ ବ୍ୟୁରୋ : ମଞ୍ଚରେ ଟଳି ପଡିଲେ ନୃତ୍ୟଗୁରୁ । ଭଞ୍ଜକଳା ମଣ୍ଡପରେ ଚାଲିଥିବା ନୃତ୍ୟ କାର୍ଯ୍ୟକ୍ରମରେ, ଦୀପ ପ୍ରଜ୍ୱଳନ କରିବାବେଳେ ଟଳି ପଡିଛନ୍ତି ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶନ । ଟଳି ପଡିବା ପରେ ଶ୍ରୀଗଣେଶନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଭଞ୍ଜକଳା ମଣ୍ଡପରେ ଆୟୋଜିତ ରାଷ୍ଟ୍ରୀୟ ଜୟଦେବ ସମାରୋହର ଉଦଯାପନୀ ସନ୍ଧ୍ୟାରେ ଗୁରୁ ଶ୍ରୀ ଗଣେଶନ ଭାରତନାଟ୍ୟମ ପରିବେଷଣ କରିଥିଲେ । ତାପରେ ମଂଚରେ ଥିବା ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ଅନ୍ୟ ଅତିଥିମାନଙ୍କ ସହ ଦୀପ ପ୍ରଜ୍ୱଳନ କରିଥିଲେ । ହେଲେ ଏହା ପରେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇବାରୁ ତଳେ ପଡ଼ିଯାଇଥିଲେ ।

ବହୁ ଚେଷ୍ଟା ସତ୍ୱେ ତାଙ୍କୁ ବଞ୍ଚାଯାଇପାରିନଥିଲା । ଆଜି ତାଙ୍କ ମୃତଦେହର ପୋଷ୍ଟମର୍ଟମ ହେବ । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ । ସେ ମାଲେସିଆରୁ ଆସିଥିଲେ । ମାଲେସିଆ ଭାରତନାଟ୍ୟମ ନୃତ୍ୟ ସଂଗଠନ ସହ ସେ ଦୀର୍ଘ ବର୍ଷ ଧରି ଜଡ଼ିତ ଥିଲେ । ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ପାଇଛନ୍ତି । ତାଙ୍କ ଅକାଳ ବିୟୋଗରେ ଶୋକ ଖେଳିଯାଇଛି ।