ପଳାତକ ସାଜିଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

161

କନକ ବ୍ୟୁରୋ : ଦେଶରେ ଲାଗି ରହିଥିବା ଆର୍ଥିକ ସଂକଟକୁ ମୁକାବିଲା କରି ନପାରି ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ମାଳଦୀପ ପଳାୟନ କରିଛନ୍ତି । ରାଷ୍ଟ୍ରପତି ଦେଶଛାଡି ପଳାଇଯାଇଥିବା ଖବର ପ୍ରଚାରିତ ହେବାପରେ ଦେଶରେ ନାଗରିକମାନେ ହଜାର ହଜାର ସଂଖ୍ୟାରେ ଏକଜୁଟ ହୋଇ ରାଜଧାନୀ କଲମ୍ବୋ ରାସ୍ତାରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାସହ କିଛି ପ୍ରଦର୍ଶନକାରୀ ରାଷ୍ଟ୍ରପତିଙ୍କ ବାସଭବନରେ ପଶି ଉତ୍ପାତ କରୁଥିବା ବେଳେ କିଛି ପୁରୁଣା ସଂସଦଗୃହରେ ପଶି ଆରାମ କରୁଛନ୍ତି । ଏସବୁକୁ ନଜରରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ସେପଟେ ୧୩୯ ଦିନ ଧରି ରାଷ୍ଟ୍ରପତିଙ୍କ ବିରୋଧରେ ଜାରି ରହିଥିବା ପ୍ରଦର୍ଶନ ଚାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ସଂସଦ ଗୃହରେ ତାଙ୍କ ଇସ୍ତଫା ନେଇ ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି । କେବଳ ସେତିକି ନୁହେଁ ଗୋଟାବାୟାଙ୍କ ପରେ କିଏ ହେବ ଦେଶର ଅନ୍ତରୀଣ ରାଷ୍ଟ୍ରପତି ତାହା ଉପରେ ଆଜି ସଂସଦରେ ନିଷ୍ପତ୍ତି ହୋଇପାରେ ।

ସବୁଠାରୁ ବଡ କଥା କି ପ୍ରଥମଥର ପାଇଁ ଶ୍ରୀଲଙ୍କା ସେନା ଦେଶର ନାଗରିକଙ୍କ ଆଗରେ ହାର ମାନିଛି । ନାଗରିକମାନଙ୍କ ପ୍ରଦର୍ଶନକୁ ନଜରରେ ରଖି ସେନା ତରଫରୁ ଅସ୍ତ୍ର ବିରତି କରାଯାଇଛି । ଏହି ପ୍ରଦର୍ଶନ ସମୟରେ ବିଭିନ୍ନ ସ୍ଥାନରେ ସେନା, ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଆଇନ ମୁତାବକ ଯଦି ଦେଶର ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଗାଦି ଛାଡୁଛନ୍ତି ତେବେ ସଂସଦର କୌଣସି ସଦସ୍ୟଙ୍କୁ ତାଙ୍କ ଗାଦିରେ ବସାଇବାର ପ୍ରାବଧାନ ରହିଛି । ଏହି କାର୍ଯ୍ୟ ରାଷ୍ଟ୍ରପତି ପଦ ଛାଡିବାର ଗୋଟିଏ ମାସ ମଧ୍ୟରେ ହୋଇଥାଏ । ଏହାସହ ରାଷ୍ଟ୍ରପତି ପଦ ଛାଡିବାର ୩ ଦିନ ମଧ୍ୟରେ ସଂସଦରେ ଅଧିବେଶନ ଡାକିବେ ବାଚସ୍ପତି । ଏହାପରେ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିବାର ତାରିଖ ସ୍ଥିର କରାଯାଇଥାଏ । ହେଲେ ଶ୍ରୀଲଙ୍କା ନାଗରିକଙ୍କ ଭାରିମାତ୍ରାରେ ପ୍ରଦର୍ଶନ ଦେଖି ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ବାଚସ୍ପତି ପର୍ଯ୍ୟନ୍ତ କଣ କରିବେ ତାହା ସ୍ଥିର କରିପାରି ନାହାଁନ୍ତି ।