ମାଲକାନଗିରିରେ ମହିଳାଙ୍କୁ ପୋଲିସର ମାଡ ପ୍ରସଙ୍ଗକୁ ନେଇ ତାତିଲା ଗୃହ । ବିରୋଧୀ କହିଲେ, ରକ୍ଷକ ଯଦି ଭକ୍ଷକ ସାଜେ ତେବେ ଆଦିବାସୀଙ୍କୁ ସୁରକ୍ଷା ଦେବ କିଏ?

99

କନକ ବ୍ୟୁରୋ : ବିଧାନସଭାର ଶୂନ୍ୟ କାଳରେ ଉଠିଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ଗୁଣ୍ଡାରାଜ। ମାଲକାନଗିରି ଆରସିଏସ-୧୩ ନମ୍ବର ଗାଁରେ ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁରେ ପସି ଗର୍ଭବତୀ ମହିଳା,୮୦ ବର୍ଷୀୟ ବୃଦ୍ଧା,୧୪ ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଦସ୍ୟ। ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି। ମଦ ପିଇ ସାରିବା ପରେ ପୋଲିସ ବାବୁ ଆତଙ୍କରାଜ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନପତି। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନିଆ ଯାଇନାହିଁ। ଡ଼ାକ୍ତରଙ୍କୁ ଚାପ୍ ପକାଇ ମିଥ୍ୟା ରିପୋର୍ଟ ଆଣିଛନ୍ତି।ମା’କୁ ସମ୍ମାନ କହୁଥିବା ସରକାରଙ୍କ ଏ କି ସମ୍ମାନ ବୋଲି ପ୍ରଶ୍ନ କଲେ ବିରୋଧୀ।

ଏହି ଘଟଣାରେ ଦୁଇ ଜଣ ସାମ୍ବାଦିକ,ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କ ସହ ୧୮ ଜଣଙ୍କୁ ଗିରଫ କରାଯାଇଛି। ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ ତାରା ପ୍ରସାଦ ବାହିନୀ ପତି ଦାବି କରିଥିବା ବେଳେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଛନ୍ତି ସନ୍ତୋଷ ସିଂ ସାଲୁଜା। ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଁଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ସବୁ କାର୍ୟ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର। ବାଚସ୍ପତିଙ୍କ ରୁଲିଁଂ ଦାବିରେ କଂଗ୍ରେସର ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ । ବିରୋଧୀ ଦଳ ମୁଖ୍ୟ ସଚେତକ ବି ସମାନ ପ୍ରସଙ୍ଗ ଉଠାଇବା ସହ କହିଛନ୍ତି ରକ୍ଷକ ଯଦି ଭକ୍ଷକ ସାଜିବେ ତେବେ ଆଦିବାସୀଙ୍କୁ ସୁରକ୍ଷା ଦେବ କିଏ? ଜୋରଦାର ହଟ୍ଟଗୋଳ ପାଇଁ ଗୃହକାର୍ଯ୍ୟକୁ ୧୦ ମିନିଟ୍ ଯାଏଁ ମୁଲତବୀ କରାଯାଇଥିବା ବେଳେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।