ମହିଳା ହିଁ ପରିବର୍ତ୍ତନର ସୂତ୍ରଧର : ସ୍ମୃତିର ଓଡ଼ିଶା ପକ୍ଷରୁ ଫ୍ୟାସନ ସୋ’ ଜରିଆରେ ସାମାଜିକ ସମୃଦ୍ଧିର ବାର୍ତ୍ତା ।

80

କନକ ବ୍ୟୁରୋ :  ଚଳିତ ୨୦୨୧କୁ ଏକ ସ୍ମୃତିପୂର୍ଣ୍ଣ ଅଧ୍ୟାୟ ହିସାବରେ ଏକ ହୃଦୟସ୍ପର୍ଶୀ ବିଦାୟ ଦେଉଛନ୍ତି ଭୁବନେଶ୍ୱରବାସୀ । ଡ଼ିସେମ୍ବର ୧୯ ତାରିଖ, ରବିବାରରେ ହୋଟେଲ ତାଜ୍ ଭିଭାନ୍ତାରେ ଏକ ଆକର୍ଷକ କାର୍ଯ୍ୟକ୍ରମରେ ମିସ୍ ଏବଂ ମିସେସ୍ ଇଣ୍ଡିଆ ଗ୍ଳୋବାଲ ୨୦୨୧ ଘୋଷଣା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଫ୍ୟାସନ ମଡ଼େଲ ଏବଂ ଫ୍ୟାସନ ଜଗତର ଅନେକ ନାମୀଦାମୀ ବ୍ୟକ୍ତିତ୍ବ ଉପସ୍ଥିତ ରହି “ମହିଳା ହିଁ ପରିବର୍ତ୍ତନର ସୁତ୍ରଧର” ଶୀର୍ଷକ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର ସାଂସ୍କୃତିକ ସୌନ୍ଦର୍ଯ୍ୟକୁ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ  ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ  ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ୱାର୍ଲ୍ଡ ଓଡ଼ିଶା ସୋସାଇଟି ଅଧ୍ୟକ୍ଷ  କିଶୋର ଦ୍ୱିବେଦୀ, ଅଭିନେତ୍ରୀ ନିତୁ କୋଇରାଲା, ସମ୍ବାଦ ଗ୍ରୁପର କାର୍ୟ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଚାରକ ମଣ୍ଡଳୀରେ  ମିସ୍ ଇଣ୍ଡିଆ ୟୁନିଭର୍ସ ୨୦୧୮ ନେହାଲ ଚୁଡ଼ାସମା, ମିସ୍ ଇଣ୍ଡିଆ ଡ଼ିମ୍ପଲ ପଟେଲ, ମିସ୍ ଗ୍ଲୋବ ୨୦୧୬ ଆଦି ଉପସ୍ଥିତ ଥିଲେ ।

ସ୍ମୃତିର ଓଡ଼ିଶା ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ  “ୱିମେନ୍ ଆଜ୍ ଚେଞ୍ଜ ମେକର” ଅର୍ଥାତ୍ “ମହିଳା ହିଁ ପରିବର୍ତ୍ତନର ସୂତ୍ରଧର”  ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା । ଏକ ପ୍ରତିଷ୍ଠିତ ଦାତବ୍ୟ ଅନୁଷ୍ଠାନ ଭାବେ “ସ୍ମୃତିର ଓଡ଼ିଶା”  ମହିଳାମାନଙ୍କର ତଥା ସର୍ବୋପରି ସମାଜର ଭବିଷ୍ୟତକୁ ସୁଦୃଢ କରିବା ଦିଗରେ ନାନା କାର୍ଯ୍ୟକ୍ରମ ତଥା ପଦକ୍ଷେପ ଗ୍ରହଣ କରିଆସିଛି ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ।

ଓଡ଼ିଶାର ସାଂସ୍କୃତିକ ପରିପାଟୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ବିଶ୍ୱ ଦରବାରରେ ପରିଚିତ କରାଇବା ହିଁ  ‘ମିସ୍ ଏବଂ ମିସେସ୍ ଇଣ୍ଡିଆ ଗ୍ଳୋବାଲ ୨୦୨୧’ର ଲକ୍ଷ୍ୟ । ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ବିଶେଷ ବ୍ୟକ୍ତିମାନଙ୍କୁ ମଧ୍ୟ ଉକ୍ତ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଚଳିତବର୍ଷ ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସେଭେନ୍ ଲିଜେଣ୍ଡରି ଏବଂ ଆଇକନିକ ସମ୍ମାନରେ ସମ୍ମାନିତ ହୋଇଛି । ଫ୍ୟାସନ ସୋ’ରେ ଉପାର୍ଜିତ ସମସ୍ତ ଅର୍ଥ ମହିଳା ସଶକ୍ତୀକରଣ ଏବଂ ଜଗନ୍ନାଥଧାମ ପୁରୀରେ ଏକ ବୃଦ୍ଧାଶ୍ରମର ନିର୍ମାଣ ନିମନ୍ତେ ପ୍ରଦାନ କରାଯିବ ।

ପରିଶେଷରେ ସ୍ମୃତିର ଓଡ଼ିଶାର ଅଧ୍ୟକ୍ଷ ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ସଭାପତି ଜାହିଦା ଅହମଦ, ମୁଖ୍ୟ ପୃଷ୍ଠପୋଷକ ଜୟଶ୍ରୀ ମହାନ୍ତି, ବିଚାରମଣ୍ଡଳୀ ଅଧ୍ୟକ୍ଷ ଡ଼କ୍ଟର ଚିଦାତ୍ମିକ ଖଟୁଆ, ସାଧାରଣ ସମ୍ପାଦକ ଡ଼.ରଜନୀକାନ୍ତ ମିଶ୍ର ଏବଂ କାର୍ୟ୍ୟକ୍ରମ ପରିଚାଳକ ରୋହିତ ମାଥୁରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଥିଲା ।

୨୦୧୪ ମସିହାରେ ଆରମ୍ଭ ହୋଇଥିବା ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ  ଏକ ଲାଭ ରହିତ ଅନୁଷ୍ଠାନ, ଯାହା ସାମାଜିକ ଉଦ୍ୟୋଗୀମାନଙ୍କୁ ସମାଜର ହିତସାଧନ ଉଦ୍ଦେଶ୍ୟରେ ଅନୁପ୍ରାଣିତ କରେ । ଦେଶ ବିଦେଶରେ ଉକ୍ତ ଅନୁଷ୍ଠାନର ଷାଠିଏରୁ ଊର୍ଧ୍ବରେ ଆଜୀବନ ସଦସ୍ୟ ରହିଛନ୍ତି ।