ଲଗାତାର ୨ଟି ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ଟେବୁଲରେ ମିଳିଲା ବଡ ଫାଇଦା । ଜାଣନ୍ତୁ କେତେ ନମ୍ବର ସ୍ଥାନରେ ଟିମ୍ ଇଣ୍ଡିଆ?

159

କନକ ବ୍ୟୁରୋ : ଆସେସ ସିରିଜର ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୨୭୫ ରନର ବଡ ବ୍ୟବଧାନରେ ମାତ୍ ଦେଇଛି ଅଷ୍ଟ୍ରେଲିଆ । ଆଉ ଏହି ବିଜୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆର ସ୍ଥିତିକୁ ଆହୁରି ମଜବୁତ କରିଛି । ଏହି ଦୁଇ ମ୍ୟାଚ୍ ଜିତିବା ସହ ଆସେସ ସିରିଜରେ ୨-୦ରେ ଆଗୁଆ ଅଛି କଙ୍ଗାରୁ ଦଳ । ଇଂଲଣ୍ଡ ବିପକ୍ଷ ଏହି ବିଜୟ ଅଷ୍ଟ୍ରେଲିଆକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଟିକେଟ ଦେଇଛି । ୨୪ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟରେ ଥିବା ବେଳେ ଶ୍ରୀଲଙ୍କା ମଧ୍ୟ ଦୁଇଟି ମ୍ୟାଚରେ ବିଜୟ ସହ ପ୍ରଥମ ସ୍ଥାନରେ ରହିଛି । ସେହିଭଳି ୩ଟି ମ୍ୟାଚ୍ ଜିତି ପାକିସ୍ତାନ ୭୫ ପ୍ରତିଶତ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି । ପଏଣ୍ଟ ଟେବୁଲ ଟିମର ବିଜୟ ପ୍ରତିଶତ ଆଧାରରେ ନିର୍ଦ୍ଧାରଣ କରାଯାଇଥାଏ । ଟିମ୍ ଇଣ୍ଡିଆ ସମସ୍ତ ୩ଟି ମ୍ୟାଚ୍ ଜିତିଥିବା ବେଳେ ୫୮.୩୩ ପ୍ରତିଶତ ଅଙ୍କ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।

ତେବେ ଦୁଇଟି ପରାଜୟ ପରେ ଇଂଲଣ୍ଡକୁ ବଡ ଝଟକା ଲାଗିଛି । ଇଂଲଣ୍ଡ ୬ଟି ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟୀ ହୋଇଥିବା ବେଳେ ମାତ୍ର ୮.୩୩ ପ୍ରତିଶତ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥ୍ାନରେ ରହିଛି । ପଏଣ୍ଟ ଟେବୁଲରେ ଉପରକୁ ଉଠିବା ନିମନ୍ତେ ଭାରତ ନିକଟରେ ଏବେ ବି ସୁଯୋଗ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତ ଭଲ ପ୍ରଦର୍ଶନ କଲେ ପାକିସ୍ତାନକୁ ପଛରେ ପକାଇବାର ଯଥେଷ୍ଟ ସୁଯୋଗ ରହିଛି । ଆସନ୍ତା ୨୬ ଡିସେମ୍ବରରୁ ସେଞ୍ଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ ଭାରତ  ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଏହା ଦ୍ୱିତୀୟ ସଂସ୍କରଣ । ଯାହା ୨୦୨୧ରୁ ୨୦୨୩ ଯାଏଁ ଚାଲିବ । ୪ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ସଂସ୍କରଣରେ ପଏଣ୍ଟକୁ ନେଇ ନୂଆ ନିୟମ କରାଯାଇଛି । ଅଥାର୍ତ ଟେଷ୍ଟ ମ୍ୟାଚରେ ବିଜୟୀ ହେଲେ ୧୨ ପଏଣ୍ଟ, ଡ୍ର ହେଲେ ୪ ପଏଣ୍ଟ ଓ ଟାଇ ହେଲେ ୬ ପଏଣ୍ଟ ମିଳିବ । ଏହାପୂର୍ବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ଚାମ୍ପିୟନ ଟ୍ରଫି ହାତେଇଥିଲା ।