ବଡଦାଣ୍ଡରେ ବାପାର ଦୁଃଖ: ପତି ପତ୍ନୀ ଅଲଗା ହୋଇ ରହିବା ପରେ ନିଜ ପିଲାଙ୍କୁ ଝୁରୁଛନ୍ତି ବାପା

448

କନକ ବ୍ୟୁରୋ: ବୁଝାମଣାର ଅଭାବ ଓ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଖିଟପିଟ୍ ଯଦି ଉଗ୍ର ହୁଏ ତାହାଲେ ଏହାର ପ୍ରଭାବ ପଡେ ପିଲାଙ୍କ ଉପରେ । କାରଣ ମାମଲା ଯଦି କୋର୍ଟରେ ରୁହେ ତାହାଲେ ବାପ-ପୁଅ ହେଉ ଅବା ବାପ-ଝିଅ ଉଭୟ ପରସ୍ପରକୁ କେତେବେଳେ ଦେଖା କରିବେ ସେଥିପାଇଁ କୋର୍ଟଙ୍କର ଗୋଟିଏ ନିର୍ଦ୍ଦେଶ ରହିଥାଏ । ଆଉ ରକ୍ତର ସଂପର୍କ ଯୋଡିହେବାକୁ ଯେତେବେଳେ କୋର୍ଟର ଅନୁମତିକୁ ଅପେକ୍ଷା କରିବାକୁ କିମ୍ବା ମାନିବାକୁ ପଡିବ ତାହେଲେ ସ୍ଥିତି କଣ ହୋଇଥିବା ଅନୁମାନ କରିପାରୁଥିବ ।

ଅରବିନ୍ଦ କୁମାର । ଚେନ୍ନାଇରୁ ଆସିଛନ୍ତି ଅରବିନ୍ଦ । ଝିଅକୁ ମନେ ପକାଇ ନିଜର ଦୁଃଖ ବଖାଣିଛନ୍ତି । ଝିଅକୁ ଦେଢ ବର୍ଷ ହେଲାଣି କିନ୍ତୁ ବାପା ଏଯାଏ ଝିଅକୁ କୋଳରେ ଧରି ସ୍ନେହ କରିବାର ସୁଯୋଗ ପାଇନି । ଏକ ଘେରୋଇ ସଫ୍ଟୱୟାର ଇଂଜିନିୟର ଅରବିନ୍ଦ ଶାରୀରିକ ଅସୁସ୍ଥତା ପାଇଁ ନିରାମିଷ ଖାଇବା ପାଇଁ ନିଷ୍ପତି ନେଲେ । ହେଲେ ଏ ଖାଦ୍ୟକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ହୋଇଛି । ସେହିପରି ଖୋର୍ଦ୍ଦାର ବିକାଶ ଅଗ୍ରୱାଲ । ଝିଅକୁ ଏବେ ୮ ବର୍ଷ । ଜନ୍ମ ହେଲା ପରେ ଝିଅ କୋଳରୁ ଓହ୍ଲାଉନଥିଲା । ଏବେ ୪ ବର୍ଷ ହୋଇଗଲା ଝିଅକୁ ଟିକେ କୋଳରେ ଧରି ଗେହ୍ଲା କରିବା ବାପା ବିକାଶ ଅଗ୍ରୱାଲଙ୍କ ପାଇଁ ସାତ ସପନ ହେଇଯାଇଛି । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବୁଝାମଣାର ଅଭାବ କୁନି ଝିଅଟିକୁ ବାପା ବିକାଶ ଅଗ୍ରୱାଲଙ୍କ ଠାରୁ ଦୂରେଇ ଦେଇଛି । ପ୍ରତି ସପ୍ତାହରେ ଦୁଇଘଂଟା ହିଁ ଝିଅକୁ ଭେଟିପାରିବାର କୋର୍ଟଙ୍କ ଆଦେଶ ରହିଛି । କିନ୍ତୁ ଏଇ ଦୁଇ ଘଂଟାରେ ବାପା ଝିଅର ସମ୍ପର୍କ କୁଆଡେ ଉଭେଇ ଯାଇଛି ବୋଲି ଆଖି ଛଳଛଳ କରି କହିଛନ୍ତି ବିକାଶ ।

ବୁଧବାର ବାହୁଡାଯାତ୍ରା । ଭାଇ-ଭଉଣୀ ମାଉସୀ ମା ମନ୍ଦିରରୁ ଫେରିବେ । କାଳିଆ ପାଖରେ ନିଜର ଦୁଃଖ ଜଣାଇବାକୁ ବାହାରିଥିବା ରାଲି । ଏମାନେ ନିଜ ପିଲାଠାରୁ ଦୂରେଇ ରହିଥିବା କିଛି ଅଭିଭାବକ । ଯେଉଁମାନେ କହିଛନ୍ତି, କାଳିଆ ବାହୁଡୁଛି ହେଲେ ତାଙ୍କ ପିଲା କେବେ ତାଙ୍କ ପାଖକୁ ବାହୁଡିବେ ସେ ଚିନ୍ତାରେ ସେମାନେ କାଳିଆ ପାଖରେ ଗୁହାରୀ କରିବାକୁ ଯାଉଛନ୍ତି । ସେଭ୍ ଇଣ୍ଡିଆନ ଫାମିଲି ଫାଉଣ୍ଡେସନ ତରଫରୁ ଏଭଳି ଏକ ରାଲି ଭୁବନେଶ୍ୱରରୁ ବାହାରିଛି । ଆପଣଙ୍କ ଟିଭି ପରଦାରେ ଦୁଇଟି ଚିତ୍ର । ଉଭୟ ଦାମ୍ପତ୍ୟ କଳିରେ ଫସିଯାଇଛନ୍ତି । ଆଉ ଛୋଟ ଝିଅକୁ ଦେଖା କରିବାକୁ ଅପେକ୍ଷା କରିଛନ୍ତି । ସେହିପରି ସଂଜୀବ ପଣ୍ଡା । ପୁଅ ସହ ଶେଷ ଥର ପାଇଁ ଭଲରେ କଥା ହେଇଥିଲେ ୨୦୨୦ ମାର୍ଚ୍ଚ ମାସରେ । ସେତେବେଳେ ପୁଅ ୮ ବର୍ଷର ହେଇଥିଲା । ଏବେ ପୁଅକୁ ୧୨ ବର୍ଷ । ହେଲେ ବାପା ପୁଅ ଭିତରେ ଆଉ ସେ ସମ୍ପର୍କ ନାହିଁ । ପୁଅ କଥା ମନେପକାଇ ତା ସହ ବିତେଇଥିବା ସେ ସୁଖ ସମୟ ଗୁଡ଼ିକ ଏବେ ବି ଆଖି ଆଗରେ ନାଚିଯାଏ । ପ୍ରଥମେ ବାପା ବାପା କହି ଖୋଜି ହେଉଥିବା ପୁଅ ଆଜି ବାପାକୁ ଚିହ୍ନିବାକୁ ବି ରାଜି ନୁହଁ ବୋଲି ସଂଜୀବ କୁହନ୍ତି ।

ଛୁଆଟିଏ ବଡ ହେବା ପାଇଁ ଉଭୟ ବାପା ଏବଂ ମାଆଙ୍କର ସ୍ନେହ ଭଲ ପାଇବାର ଆବଶ୍ୟକତା ରହିଛି । କିନ୍ତୁ ଏହିଭଳି ଅନେକ ଘଟଣା ଯାହା ପିଲାଟିକୁ ତାର ସମ୍ପୂର୍ଣ୍ଣ ପରିବାର ସହ ରହିବା ପାଇଁ ସୁଯୋଗ ଦେଉନି । ଯାହାଦ୍ୱାରା ପିଲାଟି ମାନସିକ ସ୍ତରରେ ପରିବାରର ସଂଜ୍ଞା ଭଲ ଭାବେ ବୁଝିପାରେନା ।