ପୁଣି ମାତିଲେ ରକ୍ତ ଚରିତ୍ର ଗ୍ୟାଙ୍ଗ? ମଦ ବୋତଲ ଧରି ଡିିଜେ ଗୀତରେ ରାସ୍ତାରେ ମତୁଆଲା ଯୁବକ, ଫିଲ୍ମ ଷ୍ଟାଇଲରେ ଗାଡ଼ି ଚଳାଇ ଖେଳାଉଛନ୍ତି ଆତଙ୍କ । 

310

କନକ ବ୍ୟୁରୋ : ପୁଣି ରାଜଧାନୀକୁ ଫେରିଛି ରକ୍ତଚରିତ୍ର ଗ୍ୟାଙ୍ଗର ଆତଙ୍କ । ରାତିରେ ରାଜରାସ୍ତାକୁ କବଜା କରି ମାତାଲ ଅବସ୍ଥାରେ ଆତଙ୍କ ଖେଳାଉଥିବା ଆସାମାଜିକ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି କାଣ୍ଡ କରୁଥିବା ଯୁବକମାନେ ହେଉଛନ୍ତି, ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର । ନିଜେ ଛାତ୍ର ହୋଇ ମଧ୍ୟ ଅନ୍ୟ ଛାତ୍ରଙ୍କୁ ମାର ଧର କରି ଟଙ୍କା ଛଡେଇ ନେଉଥିବା ଥାନାରେ ଅଭିଯୋଗ ହୋଇଛି ।

ଯେଉଁଭଳି ଭାବେ ରାତି ଅଧରେ ଯୁବକମାନେ ନିଛାଟିଆ ରାସ୍ତାରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍ ବଜାଇ ବିପଦପୂର୍ଣ୍ଣ ଗାଡି ଚାଳନା କରୁଛନ୍ତି- ଏସବୁ ପ୍ରାୟତଃ ବଲିଉଡ ମୁଭିରେ ଦେଖିବାକୁ ମିଳେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଛାତିଥରା ଦୃଶ୍ୟ ହେଉଛି ଖୋଦ୍ ରାଜଧାନୀ ରାଜରାସ୍ତାର । ଭାଇରାଲ ହୋଇଥିବା ଏହି ଭିଡିଓରେ ସେହି ସ୍ଥାନର ଲୋକେସନ ବି ଉଲ୍ଲେଖ ରହିଛି । ଏହି ଭିଡିଓଟିକୁ ଦେଖିଲେ ଲାଗୁଛି ଯେମିତି ପୁରା ରାଜଧାନୀ ଏମାନଙ୍କ କବଜାରେ ।

ପୁଣି ଫେରିଲା କି ରକ୍ତ ଚରିତ୍ର ଗ୍ୟାଙ୍ଗ?

ମଦ ପିଇଲେ, ନାଚିଲେ, ଆତଙ୍କ ଖେଳାଇଲେ

ନିରୀହ ଛାତ୍ରଙ୍କୁ ଲୁଟିଲେ ନିଶାଖୋର

ରାଜରାସ୍ତାରେ ନିଶାସକ୍ତ ଅବସ୍ଥାରେ ଘୁରିବୁଲୁଥିବା ଯୁବକମାନେ ଏକ ଘରୋଇ ଇଂଜିନିୟରି କଲେଜର ଛାତ୍ର । ଆଉ ଛାତ୍ର ହୋଇ ଅନ୍ୟ ଛାତ୍ରମାନଙ୍କ ସହ ଯାହା କରିଛନ୍ତି, ତାହା ଛାତି ଥରାଇ ଦେଲା ଭଳି । ବାରମ୍ବାର ଏହି ନିଶାଖୋରଙ୍କ ଆକ୍ରୋଶର ଶିକାର ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏକାଧିକ ଛାତ୍ର । କିନ୍ତୁ ଏନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ଭୟ କରୁଛନ୍ତି । ହେଲେ ଏହାରି ଭିତରେ ଜଣେ ଛାତ୍ର ପ୍ରଥମଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲି ସାହସ ଜୁଟାଇଛନ୍ତି । ଆଉ କହିଛନ୍ତି, ଏହି ନିଶାଖୋର ଛାତ୍ରମାନେ କେତେ ଭୟଙ୍କର ହୋଇପାରନ୍ତି ।

ପୂର୍ବରୁ ରାଜଧାନୀରେ ଆତଙ୍କଖେଳାଇଥିବା ରକ୍ତଚରିତ୍ର ଗ୍ୟାଙ୍ଗର ବହୁ ସଦସ୍ୟଙ୍କୁ ଜେଲରେ ପୁରାଇ ସାବାଡ କରିଥିଲା କମିସନରେଟ ପୁଲିସ । କିଛି ଦିନର ବ୍ୟବଧାନ ପରେ କିଛି ଜେଲ ଫେରନ୍ତା ପୁଣି ଥରେ ରକ୍ତଚରିତ୍ର ଗ୍ୟାଙ୍ଗ ରାଜଧାନୀକୁ ଫେରିଛନ୍ତି । ଏଠି ପ୍ରଶ୍ନ ଉଠୁଛି-

ପୁଣି ରକ୍ତମୁଖା ହେଉଛି କି ରକ୍ତଚରିତ୍ର ଗ୍ୟାଙ୍ଗ?

ଅଭିଯୁକ୍ତମାନେ କେମିତି ପାଉଛନ୍ତି ଏତେ ସାହାସ?

ଏହି ରକ୍ତଚରିତ୍ର ଗ୍ୟାଙ୍ଗ ପଛର ମୁଖିଆ କିଏ?

ଜେଲ ଫେରନ୍ତାଙ୍କୁ ନାହିଁ କି ଜେଲର ଭୟ?

କମିସନରେଟ ପୁଲିସକୁ ଭୟ କରୁନାହାନ୍ତି କି ଅପରାଧୀ ?