ସରକାର କହିଲେ ଫାଇଦା ନେଉଛନ୍ତି ମିଛ ଚାଷୀ । ୨୬ ହଜାର ନକଲି ଚାଷୀ ଚିହ୍ନଟ ହୋଇଥିବା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ

157

କନକ ବ୍ୟୁରୋ: ଧାନ ଅମଳ ପରେ ନଜର ଏବେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଉପରେ । ମଣ୍ଡି ଜରିଆରେ ଟୋକନ ବ୍ୟବସ୍ଥା ଦ୍ୱାରା ସରକାର ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରୁଥିବା ବେଳେ ଅଭିଯୋଗ ହେଉଛି ଯେ, ସରକାର ଠିକ୍ ଭାବେ ମଣ୍ଡି ଖୋଲୁ ନାହାନ୍ତି କି ଧାନ ସଂଗ୍ରହ କରୁ ନାହାନ୍ତି । ଆଉ ଠିକ୍ ଏତିକି ବେଳେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟରେ ଅନେକ ନକଲି ଚାଷୀ ଅଛନ୍ତି ଓ ସେମାନଙ୍କ ସଂଖ୍ୟା ହେଉଛି ୨୬ ହଜାର । ଏଭଳି ନକଲି ଚାଷୀ ଚିହ୍ନଟ ହେବା ଦ୍ୱାରା ୧୬ ଶହ କୋଟି ଟଙ୍କା ବଞ୍ଚାଯାଇ ପାରିଥିବା ମନ୍ତ୍ରୀ କହିଛନ୍ତି ।

ତେବେ ରାତି ତମାମ ଚାଷୀ ମଣ୍ଡିରେ ଜଗି ବସିଛି । କେଉଁଠି ଲ୍ୟାମ୍ପ କର୍ମଚାରୀଙ୍କ ଧର୍ମଘଟ କାରଣରୁ ମଣ୍ଡି କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ତ କେଉଁଠି ଅନ୍ୟ କିଛି କାରଣ ପାଇଁ ଚାଷୀର ଧାନ ଉଠୁ ନାହିଁ । ଆଉ ଏହାରି ଭିତରେ ବିଜେପି ଆଣିଛି ସାଂଘାତିକ ଅଭିଯୋଗ । ସାମ୍ବାଦିକ ସମ୍ମିଳନୀ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ଏଯାଏଁ ୧୧ଟି ଜିଲ୍ଲାରେ ମଣ୍ଡି ଖୋଲି ନାହିଁ । ତେବେ ନକଲି ଚାଷୀ ଚିହ୍ନଟ ହେବା ତ ନିହାତି ଦରକାର, ହେଲେ ଏହି ଆଳରେ ପ୍ରକୃତ ଚାଷୀ ବାଦ ପଡ଼ି ଯିବେ ନାହିଁ ତ ? ନହେଲେ କେତେବେଳେ ବାତ୍ୟା, କେତେବେଳେ ମରୁଡ଼ି ସହ ସଂଘର୍ଷ କରୁଥିବା ପ୍ରକୃତ ଚାଷୀ, ସରକାରଙ୍କ ଏହି ଗୋଲକଧନ୍ଦାରେ ଫସି ଯାଇଥିବ ।