ଡେଲଟା ଭୂତାଣୁ ଅପେକ୍ଷା ଅଧିକ ସଂକ୍ରାମକ ଓମିକ୍ରନ୍ । ତିନି ଲେୟାର ମାସ୍କ କିମ୍ବା ଏନ୍-୯୫ ମାସ୍କ ପିନ୍ଧିବାକୁ କହିଲେ ରାଜ୍ୟ ସରକାର

136

କନକ ବ୍ୟୁରୋ: କରୋନାର ନୂଆ ପ୍ରଜାତି ଓମିକ୍ରନ୍ ଏବେ ଦେଶ ଆଗରେ ନୂଆ ଆହ୍ୱାନ ହୋଇ ଛିଡା ହୋଇଛି । ସାରା ବିଶ୍ୱ କରୋନାର ଚତୁର୍ଥ ଲହରକୁ ସାମ୍ନା କରୁଥିବାରୁ ଅଧିକ ସତର୍କ ହେବା ପାଇଁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା କରିବାକୁ ଭିଡ ନିୟନ୍ତ୍ରଣ, ଟିକାକରଣ ଓ କୋଭିଡ ନିୟମ ପାଳନ ଉପରେ ଜୋର ଦିଆଯାଉଛି । ତେଣୁ ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧିବା ଜରୁରୀ ।

ଦେଶରେ କରୋନାର ଦ୍ୱିତୀୟ ଲହର ଆଣିଥିବା ଡେଲ୍ଟା ଭୂତାଣୁ ଅପେକ୍ଷା ଓମିକ୍ରନ୍ ଭୂତାଣୁ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବରୁ ଚେତାଇ ଦେଇଥିଲା । ଦେଢରୁ ୩ ଦିନ ଭିତରେ ଓମିକ୍ରନ୍ ସଂକ୍ରମଣ ଦୁଇଗୁଣା ହୋଇଯିବାର ଆଶଙ୍କା ରହିଛି । ତଥାପି ବର୍ତମାନ କ୍ଲଷ୍ଟର ଗୁଡିକରେ ଡେଲ୍ଟା ଭୂଚାଣୁ ଅଧିକ ଚିହ୍ନଟ ହେଉଛି । ତେଣୁ ଡେଲ୍ଟାର ମୁକାବିଲା ପାଇଁ ଯେଉଁ ଚିକିତ୍ସା ପଦ୍ଧତି ଆପଣା ଯାଉଥିଲା ତାହା ଅବ୍ୟାହତ ରହିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । କିନ୍ତୁ ଡେଲ୍ଟା ଅପେକ୍ଷା ଓମିକ୍ରନ ଭୂତାଣୁ ରୋଗ ପ୍ରତିରୋଧ ଶକ୍ତିର ସୁରକ୍ଷା ବଳୟକୁ ଭେଦ କରିବାକୁ ଅଧିକ ସକ୍ଷମ ।

‘ଓମିକ୍ରନ୍’କୁ ନେଇ ନୂଆ ତଥ୍ୟ

  • ୧୮୩ଟି ଓମିକ୍ରନ୍ ମାମଲାର ବିଶ୍ଳେଷଣ କରାଯାଇଛି
  • ଏମାନଙ୍କ ଭିତରୁ ୯୧% ଦୁଇଟି ଡୋଜ୍ ଟିକା ନେଇଛନ୍ତି
  • ୩ ଜଣ ବୁଷ୍ଟର ଡୋଜ୍ ନେବାପରେ ଆକ୍ରାନ୍ତ ହୋଇଛନ୍ତି
  • ୭୦%ଙ୍କ ଠାରେ କୌଣସି ଲକ୍ଷଣ ମଧ୍ୟ ଦେଖାଯାଉ ନାହିଁ

ଓମିକ୍ରନ ବିରୋଧରେ କରୋନା ଟିକାର କଣ ପ୍ରଭାବ ରହିବ ତାକୁ ନେଇ ଅଧିକ ଅନୁଶୀଳନ ଚାଲିଛି । ତଥାପି ଟିକାକରଣକୁ ବ୍ୟାପକ କରିବା ପାଇଁ ଯୁକ୍ତି ବାଢିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ତେବେ ୧୧ଟି ରାଜ୍ୟରେ ଟିକାକରଣ ଜାତୀୟ ହାରଠାରୁ କମ୍ ରହିଛି । ଓଡିଶାରେ ୩୭ ଲକ୍ଷ ଲୋକ ଟିକାର ପ୍ରଥମ ଡୋଜ୍ ନେଇନଥିବାବେଳେ ୩୧ ଲକ୍ଷ ଲୋକଙ୍କ ଦ୍ୱିତୀୟ ଡୋଜ୍ ବାକି ଥିବା ଜଣାପଡିଛି ।