ଆଜିଠୁ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା : ଅଧିକ ପଦକ ଆଶାରେ ଭାରତ; ଉଦଘାଟନୀ ସମାରୋହରେ ସିନ୍ଧୁ ଧରିବେ ତ୍ରିରଙ୍ଗା

91

କନକ ବ୍ୟୁରୋ : ଆଜିଠୁ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା । ୨୦୦ ଖେଳାଳିଙ୍କ ସହ ୩୦୦ ଜଣିଆ ଟିମ୍ ପଠାଇଛି ଭାରତ ।  ୨୦୧୮ରେ ୬୮ ପଦକ ସହ ତୃତୀୟ ସ୍ଥାନରେ ଥିଲା ଭାରତ । ଏଥର ଆହୁରି ଭଲ ପ୍ରଦର୍ଶନ ଆଶା ରଖିଛି । ନୀରଜ ଚୋପ୍ରା ଆହତ ଯୋଗୁଁ ଓହରିଯିବା ପରେ କିଏ ତ୍ରିରଙ୍ଗା ଧରିବେ ସେ ନେଇ ଭାରତୀୟ ଅଲିମ୍ପିକ୍‌ ସଂଘ ଅଡୁଆରେ ପଡ଼ିଥିଲା । ତେବେ ତିନି ଜଣଙ୍କ ନାମ କାଣ୍ଟଛାଣ୍ଟ ତାଲିକାରେ ସାମିଲ କରିଥିଲା । ଶେଷରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ଭାରୋତ୍ତୋଳିକା ମୀରାବାଇ ଚାନୁ ଏବଂ ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବୋର୍ଗୋହାଁଙ୍କ ଅପେକ୍ଷା ସିନ୍ଧୁଙ୍କୁ ଅଧିକ ପସନ୍ଦ କରିଥିଲା ଆଇଓଏ ।

ବନ୍ଧୁକଚାଳନା ନଥିବାରୁ ଭାରତ ଏଥର କୁସ୍ତି, ଭାରୋତ୍ତୋଳନ, ବ୍ୟାଡମିଣ୍ଟନ୍, ମୁଷ୍ଟିଯୁଦ୍ଧ, ଟେବୁଲ ଟେନିସ୍, ଦୌଡ଼କୁଦ ଭଳି ଖେଳରୁ ପଦକ ଜିତିବାକୁ ଆଶା ରଖିଛି । ବନ୍ଧୁକଚାଳନା ସହ ତୀରନ୍ଦାଜିର ଅନୁପସ୍ଥିତି ମଧ୍ୟ ଭାରତ ପାଇଁ ଏହି କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ହୋଇପାରେ। କାରଣ ଏହି ଦୁଇ ଖେଳରୁ ଭାରତ ପାରମ୍ପରିକ ଭାବେ ବହୁ ପଦକ ଜିତିଥାଏ । ଗତ ତିନି ସଂସ୍କରଣ ହେବ ଭାରତ କୁସ୍ତିରୁ ଦୁଇ ଅଙ୍କ ବିଶିଷ୍ଟ ପଦକ ଜିତି ଆସୁଛି । ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆଙ୍କ ନେତୃତ୍ବରେ ଭାରତ ଗୋଲ୍ଡକୋଷ୍ଟରେ ୫ ସ୍ୱର୍ଣ୍ଣ ସହ ୧୨ ପଦକ ଜିତିଥିଲା । ଏଥର ବି ଭାରତ କୁସ୍ତିରୁ ୧୦ରୁ ଅଧିକ ପଦକ ଜିତିବାକୁ ଲକ୍ଷ୍ୟ ରଖିଛି । କୁସ୍ତି ଭଳି ଭାରୋତ୍ତୋଳନ ଉପରେ ଭାରତର ଢେର ଆଶା ରହିବ ।

୨୦୧୮ ମସିହାରେ ଭାରତୀୟ ଦଳ ଭାରୋତ୍ତୋଳନରେ ସର୍ବାଧିକ ପଦକ ୫ ସ୍ୱର୍ଣ୍ଣ ସହ ୯ ପଦକ ଜିତିଥିଲା। ଏଥର ଭାରତ ୧୫ ଜଣିଆ ଶକ୍ତିଶାଳୀ ଦଳ ପଠାଇଛି। ଏଣୁ ଗତଥରଠାରୁ ଅଧିକ ପଦକ ଜିତିବା‌ ଆଶାରେ ଅଛି । ଭାରୋତ୍ତୋଳନ ଭଳି ବ୍ୟାଡମିଣ୍ଟନ୍‌ରେ ମଧ୍ୟ ଭାରତର ‌ଦୃଢ଼ ଆଶା ଥିବ। ବ୍ୟାଡମିଣ୍ଟନ୍‌ରେ ମଧ୍ୟ ଭାରତ ଗତଥର ପଦକ ତାଲିକାର ଶୀର୍ଷରେ ରହିଥିଲା। ୨୦୧୮ରେ ଭାରତ ବ୍ୟାଡମିଣ୍ଟନରୁ ୨ ସ୍ବର୍ଣ୍ଣ ପଦକ ଜିତିଥିଲା। ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତ, ଚିରାଗ ସେଟ୍ଟୀ, ସାତ୍ବିକସାଇରାଜ ରାଙ୍କିରେଡ୍ଡୀଙ୍କ ଭଳି ଖେଳାଳି ଥିବାରୁ ଭାରତ ଏଥର ତା’ଠାରୁ ଅଧିକ ପଦକ ଜିତିବା ଲକ୍ଷ୍ୟରେ ରହିବ । ଅନ୍ୟ ଏକ ବର୍ଗ ମୁଷ୍ଟିଯୁଦ୍ଧରୁ ୩ ସ୍ୱର୍ଣ୍ଣ ସହ ଗତଥର ୯ ପଦକ ଜିତିଥିଲା। ଏଥର ତା’ଠାରୁ ଅଧିକ ପଦକ ଜିତିବା ଆଶାରେ ରହିଛି ।