ସୁପର ସଣ୍ଡେରେ ସୁପର ଶୋ, ଆଜି ଆଇପିଏଲ ଫାଇନାଲ । ଟ୍ରଫି ହାତେଇବା ଲକ୍ଷ୍ୟରେ ମୈଦାନରେ ମୁହାଁମୁହିଁ ହେବେ କୋଲକାତା ଓ ଏସଆରଏଚ ।

134

କନକ ବ୍ୟୁରୋ: ଆଜି ଆଇପିଏଲ ମହାଲଢେଇ, ଟ୍ରଫି ହାତେଇବା ପାଇଁ କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ୬୪ ଦିନର ଲଢେଇ ପରେ ଆଜି ଦୁଇ ଦଳଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଯାଉଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ବଢିଛି ।

ଦୁଇଟି ଯାକ ଦଳ ବୋଲିଂ, ବ୍ୟାଟି ଓ ଫିଲ୍ଡିଂ ବିଭାଗରେ ଶକ୍ତିଶାଳୀ ହୋଇଥିବା ବେଳେ ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଯାଉଥିବା ବେଳେ ରବିବାର ଯୋଗୁଁ ଖଚାଖଚ ଭିଡ଼ ମଧ୍ୟ ଦେଖିବାକୁ ମିଳିପାରେ । ତେବେ ଫାଇନାଲ ମ୍ୟାଚରେ ଦୁଇ ଦଳଙ୍କ ମଧ୍ୟରେ ତୁଳନା କଲେ କୋଲକାତା ନାଇଟ ରାଇଡର୍ସର ପଲା ଭାରି ରହିଛି । ତୃତୀୟ ଥର ବିଜେତା ଲକ୍ଷ୍ୟରେ ରହିଥିବା କେକେଆର ଟେବୁଲ ଟପ୍ପର ହୋଇ କ୍ୱାଲିଫାୟାର ୱାନ୍ରେ ହାଇଦ୍ରାବାଦକୁ ହରାଇ ଫାଇନାଲକୁ ପ୍ରବେଶ କରିଥିଲା ।

ସେପଟେ ଏଲିମିନେଟର ୨ରେ ରାଜସ୍ଥାନ ରୟାଲ୍ସକୁ ଚକମା ଦେଇ ଫାଇନାଲକୁ କମବ୍ୟାକ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ଫାଇନାଲ ପାଇଁ ଉଭୟ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଟ୍ରଫି ଉପରେ ନଜର ସହ କୋଲକାତା ଟିମର ମାର୍ଗଦର୍ଶକ ଗୌତମ ଗମ୍ଭୀର ଓ ହାଇଦ୍ରାବାଦର ବିଶ୍ୱବିଜୟୀ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଦୃଢ ନେତୃତ୍ୱକୁ ନେଇ ଚର୍ଚା ଜୋର ଧରିଛି । ଅଧିନାୟକ ଭାବେ ପୂର୍ବରୁ ଗମ୍ଭୀର କୋଲକାତାକୁ ଦୁଇ ଥର ଆଇପିଏଲ ଚମ୍ପିୟାନ କରାଇଥିବା ବେଳେ ମେଂଟର ଭାବେ ଚଳିତଥର ଦଳକୁ ଆଇପିଏଲ ତାଜ୍ ଭେଟି ଦେବାକୁ ସୁଯୋଗ ପାଇଛନ୍ତି । ସେପଟେ ଦିନିକିଆ ବିଶ୍ୱକପ, ବିଶ୍ୱ ଟେଷ୍ଟ୍ ଚମ୍ପିୟାନସିପ୍, ଆସେସ ସିରିଜରେ ଅପରାଜୟ ସାବ୍ୟସ୍ତ ହୋଇଥିବା ପ୍ୟାଟ୍ କମିନ୍ସ ଆଇପିଏଲ ଫାଇନାଲରେ ମଧ୍ୟ ଏହି ବିଜୟଧାର ବଜାୟ ରଖିବାକୁ ଲକ୍ଷ ରଖିଛନ୍ତି ।