ରାଜକୋଟ ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି । ଶତାଧିକ ଆହତ ମେଡିକାଲରେ ଚିକିତ୍ସାଧୀନ । 

228

କନକ ବ୍ୟୁରୋ: ଗୁଜରାଟ ରାଜକୋଟର ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି । ଶତାଧିକ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ଅନେକ ଜୀବନ ଚାଲିଯିବା ସହ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଶନିବାର ସନ୍ଧ୍ୟା ସମୟରେ ରାଜକୋଟର ଏହି ଗେମିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଖି ପିଛୁଲାକେ ନିଆଁ ଚାରିଆଡେ ବ୍ୟାପୀଯାଇଥିଲା । କେହି କିଛି ବୁଝିବା ଆଗରୁ ପ୍ରଚଣ୍ଡ ନିଆଁ ସବୁକିଛିକୁ କବଳିତ କରିସାରିଥିଲା । ଏହି ଅଗ୍ନିକାଣ୍ଡରେ ଅଧିକାଂଶ ଶିଶୁଙ୍କ ମୃତ୍ୟୁ ଘଟିଛି, ଘଟଣା ସ୍ଥଳରେ ପହଞ୍ଚି ୪ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସକାଳ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଅଗ୍ନିକାଣ୍ଡ ପରେ ଗେମିଂ ଜୋନର ମାଲିକ ଫେରାର ହୋଇଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । କେଉଁ ପରିସ୍ଥିତିରେ ଏତେବଡ଼ ଦୁର୍ଘଟଣା ଘଟିଲା, ଏହି ଗେମିଂ ଜୋନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ ।

ଅଗ୍ନିକାଣ୍ଡରେ ୨୭ ଜଣଙ୍କ ମୃତ୍ୟୁ ନେଇ ଟ୍ୱିଟରରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ପ୍ରଧାନମନ୍ତ୍ରୀ ଏନେଇ ଆଲୋଚନା ମଧ୍ୟ କରିଛନ୍ତି । ସେପଟେ ଗୁଜରାଟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରାଯିବା ସହ ଆହତ ମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ ଲାଗି ଘୋଷଣା କରାଯାଇଛି ।