କନକ ବ୍ୟୁରୋ: ପୋଲିଂ ସାରି ଇଭିଏମ ଓ ଭିଭିପାଟ ଧରି ଫେରିବା ବେଳେ କର୍ମଚାରୀଙ୍କ ବସ ଦୁର୍ଘଟଣା । ସମ୍ବଲପୁର ଜମନକିରା ଥାନା ବଡ଼ରମା ବୁଲାଣିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ । ଏଥିରେ ୧୮ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ତେବେ ଦୁଇ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଇଭିଏମ, ଭିଭିପାଟ ଓ ଅନ୍ୟ ସରଞ୍ଜାମକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି । କେଉଁ କାରଣରୁ ବସ ଦୁର୍ଘଟଣା ହେଲା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି । ଶନିବାର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟିଂ ହୋଇଥିବା ବେଳେ ଅନେକ ବୁଥରେ ମତଦାନ ବିଳମ୍ବିତ ହୋଇଥିଲା । ରାତି ୯ଟାରେ କର୍ମଚାରୀମାନେ ପୋଲିଂ ସାରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।