ଇଡିର ଅଖଣ୍ଡ କ୍ଷମତା ସପକ୍ଷରେ ସୁପ୍ରିମକୋର୍ଟ : କେବଳ କାରଣ କହି ବାନ୍ଧିପାରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ; ଚଢଉ ଓ ସମ୍ପତି ବି କରିପାରିବ ଜବତ

152

କନକ ବ୍ୟୁରୋ : ଇଡିର ଅଖଣ୍ଡ କ୍ଷମତା ସପକ୍ଷରେ ସୁପ୍ରିମକୋର୍ଟ । କେବଳ କାରଣ କହି ବାନ୍ଧିପାରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚଢ଼ଉ କରିପାରିବ ଏବଂ ସଂପତ୍ତି ଜବତ ମଧ୍ୟ କରିପାରିବ । ଅର୍ଥ ହେରଫେର ଏକ ଗୁରୁତର ଅପରାଧ। ଏହା ଆତଙ୍କବାଦ ଏବଂ ଡ୍ରଗ୍ସ କାରବାର ଭଳି ବଡ଼ ବଡ଼ ଅପରାଧକୁ ଉତ୍ସାହିତ କରୁଛି । ଜଷ୍ଟିସ ଏଏମ୍ ଖନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି କହିଛନ୍ତି ଯେ ମନିଲଣ୍ଡରିଂ ନିରୋଧ ଆଇନରେ ଯେତେସବୁ କଡ଼ା ପ୍ରାବଧାନ ରହିଛି, ଯଥା- ଚଢ଼ଉ ଓ ଜବତ କରିବା, ଗିରଫ କରିବା, ସମ୍ପତ୍ତି ଜବତ କରିବା ଓ ଜାମିନ ଆଦି ସବୁକିଛି ବୈଧ ।

ଆଇନର ଧାରା ୧୯ରେ ଥିବା ଗିରଫ କରିବାର କ୍ଷମତା ଅନୁଯାୟୀ ଇଡି କାହାକୁ ଗିରଫ କଲେ ତାହାକୁ ମନମୁଖି କୁହାଯାଇପାରିବ ନାହିଁ । ପୁଣି ଧାରା ୫ ଅନୁଯାୟୀ ମନିଲଣ୍ଡରିଂରେ ସମ୍ପୃକ୍ତ ଥିବା ବ୍ୟକ୍ତିର ସମ୍ପତ୍ତି ଜବତ କରିବା ମଧ୍ୟ ସମ୍ବିଧାନ ଅନୁଯାୟୀ ବୈଧ । ମନିଲଣ୍ଡରିଂ କେବଳ ଦେଶର ସାମାଜିକ ଓ ଆର୍ଥିକ ସ୍ଥିତିକୁ ଦୁର୍ବଳ କରୁନାହିଁ, ବରଂ ଏହା ଆତଙ୍କବାଦ, ନିଶା କାରବାର ଆଦି ହୀନ ଅପରାଧକୁ ପ୍ରୋତ୍ସାହିତ କରୁଛି। ତେଣୁ ଏହା ଆତଙ୍କବାଦଠାରୁ କମ୍ ନୁହେଁ । ପ୍ରତ୍ୟେକ କ୍ଷେତ୍ରରେ ଇସିଆଇଆର୍ କପି ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ, କାରଣ ଏହା ଏକ ଆଭ୍ୟନ୍ତରୀଣ ଦଲିଲ । ଏଫ୍‌ଆଇଆର୍ କପି ପରି ଇସିଆଇଆର୍ କପି ପ୍ରଦାନ ବାଧ୍ୟତାମୂଳକ ନୁହେଁ। ଗିରଫ କରିବା ସମୟରେ ଯଦି ଇଡି କର୍ତ୍ତୃପକ୍ଷ ତା’ର କାରଣ କୁହନ୍ତି, ତେବେ ସେତିକି ଯଥେଷ୍ଟ ।