ପାଣି, କୋଇଲା ସଙ୍କଟ କମାଇଲା ବିଦ୍ୟୁତ ଉତ୍ପାଦନ । ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଲୋକେ ହନ୍ତସନ୍ତ ।

94

କନକ ବ୍ୟୁରୋ : ରାଜ୍ୟରେ ଯେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ପ୍ରବଳ ତାତିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି, ସେତିକିବେଳେ ଘଣ୍ଟା ଘଣ୍ଟା ବିଜୁଳି କାଟ ଚାଲିଛି । ବିନା ସୂଚନାରେ ଦିନ, ରାତି ଯେତେବେଳେ ଇଛା ହେଲା ସେତେବେଳେ ବିଜୁଳି କାଟୁଛି ବିତରଣ କମ୍ପାନୀ । ଯେଉଁଠି ବିଜୁଳି ରହୁଛି, ସେଥିରୁ ଅନେକ ସ୍ଥାନରେ ଲୋଭୋଲଟେଜ ସମସ୍ୟା ଲାଗି ରହିଛି । ଏକଥାକୁ ଟିପିିସିଓଡିଏଲ ନିଜେ ସ୍ୱୀକାର କରିନଥିଲେ ବି ସାରାରାଜ୍ୟରୁ ଯେଉଁ ଚିତ୍ର ଆସିଛି ତାହା ସମ୍ପୂର୍ଣ୍ଣ ସ୍ଥିତିକୁ ବୟାନ କରୁଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶା, ଉତର ଓଡିଶାରୁ ଦକ୍ଷିଣ ଓଡିଶା, ଉପକୂଳରୁ ଉପାନ୍ତ, ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ଏମିତି ସମସ୍ୟା । ପୂର୍ବରୁ କୌଣସି ସୂଚନା ନଥାଇ ଘଂଟା ଘଂଟା ଧରି ବିଦ୍ୟୁତ୍ କାଟି ଦିଆଯାଉଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବିଜୁଳି କାଟି ଦିଆଯିବାରୁ ଲୋକେ ଘାଂଟି ହେଉଛନ୍ତି । ଯଦି ପାୱାର ରହୁଛି, ତାହେଲେ ଲୋକେ ଲୋଭୋଲଟେଜ୍ ସମସ୍ୟାରେ ଘାଂଟି ହେଉଛନ୍ତି । କେଉଁଠି ଫ୍ୟାନ ବୁଲୁନି ତ ଆଉ କେଉଁଠି ଦେଖାଯାଉନି ଲାଇଟ୍ ।

ଆଗକୁ ଆସୁଛି ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା । କିନ୍ତୁ ବାରମ୍ବାର ପାୱାର କଟ୍ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରିଛି । ଯାହା ଫଳରେ ଛାତ୍ରଛାତ୍ରୀମାନେ କ୍ୟାଣ୍ଡେଲ ଲଗାଇ ନହେଲେ ଡିବିରି ଆଲୁଅରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ଓଡିଶା ବଳକା ରାଜ୍ୟ । ବିଦ୍ୟୁତ ସଂସ୍କାରରେ ମଧ୍ୟ ଦେଶର ପ୍ରଥମ ରାଜ୍ୟ ଓଡିଶା । ହେଲେ, ଏପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ଓ ଲୋଭୋଲଟେଜ୍ ସମସ୍ୟାରେ ସୁଧାର ନଆସିବା ଓ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅଘୋଷିତ ବିଦ୍ୟୁତ୍ କାଟ ହେଉଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଥିପାଇଁ ବଦ୍ୟୁତ୍ ଉତ୍ପାଦନ ଓ ବିତରଣ କମ୍ପାନୀର ପରିଚାଳନାଗତ ତ୍ରୁଟିକୁ ଦାୟୀ କରିଛନ୍ତି ଉପଭୋକ୍ତା ସଂଘ ଓ ବିଭିନ୍ନ ସଂଗଠନ ।

ଏପ୍ରିଲ ମାସରୁ ରାଜ୍ୟବ୍ୟାପୀ ବିଦ୍ୟୁତ୍ କାଟର ଚିତ୍ର ଆସୁଥିଲେ ବି ଏହାକୁ ସ୍ୱୀକାର କରିନାହାଁନ୍ତି ଟିପିିସିଓଡିଏଲ ଅଧିକାରୀ । ବରଂ ଲୋଭୋଜେଟ୍ ସମସ୍ୟାର ସମାଧାନ ପାଇଁ ଚାଲିଥିବା ମରାମତି ଯୋଗୁଁ କେତେକ ସ୍ଥାନରେ ସାମୟିକ ସମୟ ପାଇଁ ବିଦ୍ୟୁତ୍ କାଟ କରାଯାଉଥିବା ସଫେଇ ରଖିଛନ୍ତି । କିନ୍ତୁ ଦେଶର ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନରେ ଯେଉଁ ସଂକଟ ଦେଖାଦେଇଛି ତାହା ଜାରି ରହିଲେ ଆଗକୁ ବିଦ୍ୟୁତ୍ କାଟ ହେବାର ଆଶଙ୍କା ରହିଛି ।