ଛାତ୍ରଛାତ୍ରୀ ଆତ୍ମହତ୍ୟା : ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା

107

କନକ ବ୍ୟୁରୋ : ବିଜେବି କଲେଜର ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଆତ୍ମହତ୍ୟାକୁ ନେଇ ଓଡ଼ିଶା ପୁଲିସର ଚାଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି । ୨୦୨୦ ମସିହାରେ ସାରା ଦେଶରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାରେ ଓଡ଼ିଶା ଦ୍ୱିତୀୟ ନମ୍ବରରେ ରହିଛି । ଏକ ନମ୍ବରରେ ରହିଛି ମହାରାଷ୍ଟ୍ର । ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏଭଳି ତଥ୍ୟ ରାଜ୍ୟବାସୀକୁ ଚିନ୍ତାରେ ପକାଇଦେଇଛି ।

ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ୧,୪୬୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଯୋଗୁ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର । ଏହି ରାଜ୍ୟରେ ୧,୬୪୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ତୃତୀୟ ସ୍ଥାନରେ ଥିବା ମଧ୍ୟପ୍ରଦେଶରେ ୧,୧୫୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ୨୦୧୯ରେ ୩୭୯, ୨୦୧୮ରେ ୫୦୧, ୨୦୧୭ରେ ୩୬୧, ୨୦୧୬ରେ ୩୯୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ୨୦୨୦ରୁ ୨୦୧୬ ଭିତରେ ମୋଟ ୩,୧୦୦ ଜଣ ଆତ୍ମହତ୍ୟା କରିଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧,୮୪୮ ଏବଂ ଛାତ୍ରୀଙ୍କ ସଂଖ୍ୟା ୧,୨୫୨ ଥିବା ଓଡ଼ିଶା ପୁଲିସ ରିପୋର୍ଟରୁ ସୂଚନା ମିଳିଛି ।

ଗଲା ଦୁଇବର୍ଷରେ ରାଜ୍ୟରେ ଚର୍ଚ୍ଚିତ ଛାତ୍ରଛାତ୍ରୀ ଆତ୍ମହତ୍ୟା ତାଲିକା ଅନୁଯାୟୀ, ୨୦୨୨ ଜୁନ୍‌ ୧ରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଆଇଟିଏମ୍ ତୃତୀୟବର୍ଷ ଛାତ୍ର ଏସ୍. ଅମିତ କୁମାର ପ୍ରେମ ବ୍ୟାପାରକୁ ନେଇ ଛାତ୍ରାବାସରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ୨୦୨୨ ମେ ୧୦ରେ ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତଦୁଇ ଶେଷବର୍ଷ ଛାତ୍ର ଅବିନାଶ ପ୍ରଧାନ ଢେଙ୍କାନାଳର ଏକ ଘରୋଇ କଲେଜ କ୍ୟାମ୍ପସ୍‌ରେ ପାଠପଢ଼ାକୁ ନେଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ । ୨୦୨୨ ଏପ୍ରିଲ୍‌ ୩୦ରେ କଟକ ସଦର ଶଙ୍ଖତ୍ରାସ ସରକାରୀ ଉଚ୍ଚ ବିଦ୍ୟାଳୟ ବାରଣ୍ଡାରେ ବ୍ରାହ୍ମଣଝରିଲୋ କଲେଜରେ ଯୁକ୍ତଦୁଇ ପ୍ରଥମବର୍ଷ ଛାତ୍ର ରୁଦ୍ରପ୍ରକାଶ ଭୋଇ ଓ ଖଲର୍ଦ୍ଦାର ସୋନାଲି ବାରିକ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିଲେ । ପ୍ରେମ ସମ୍ପର୍କକୁ ସ୍ବୀକୃତି ନମିଳିବାରୁ ଆତ୍ମହତ୍ୟା କରିଥିଲେ । ୨୦୨୨ ଏପ୍ରିଲ୍‌ ୨୨ରେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଏବଂ ହସପିଟାଲ୍‌ର ପଞ୍ଚମବର୍ଷ ଏମ୍‌ବିବିଏସ୍ ଛାତ୍ର ହରିଆନାର ନିଶାନ୍ତ କୁମାର ସିନିୟର୍‌ଙ୍କ ରାଗିଂ ଯୋଗୁଁ ହଷ୍ଟେଲ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ ।