ମହଙ୍ଗା ପଡିଲା ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା । ଅଭିଯୁକ୍ତ ଶଙ୍କର ମିଶ୍ରା ଗିରଫ

193

କନକ ବ୍ୟୁରୋ : ଏୟାର ଇଣ୍ଡିଆ ଫ୍ଲାଇଟରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ ଶଙ୍କର ମିଶ୍ରା । ଘଟଣାର ୬ ସପ୍ତାହ ପରେ ବାଙ୍ଗୁଲୁରୁରୁ ଅଭିଯୁକ୍ତ ଶଙ୍କରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗତ ନଭେମ୍ବର ୨୬ରେ ଘଟିଥିବା ଏହି ଘଟଣାକୁ ନେଇ ସାରା ଦେଶରେ ହୋଇଥିଲା ଚର୍ଚ୍ଚା । ସୂଚନା ଅନୁସାରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ନିଶାରେ ଚୁର୍ ହୋଇଥିବା ଶଙ୍କର ପାଖରେ ବସିଥିବା ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ । ଏଥିରେ ମହିଳାଙ୍କ ପୋଷାକ, ବ୍ୟାଗ, ଜୋତା ଆଦି ଭିଜି ଯାଇଥିଲା । ଏନେଇ ମହିଳା ଜଣକ କ୍ରୁ ମେମ୍ବରଙ୍କୁ ଜଣାଇବା ପରେ କ୍ରୁ ମେମ୍ବର ତାଙ୍କୁ ପୋଷାକ ଓ ଚପଲ ଦେଇଥିଲେ ।

ଘଟଣା ପରେ ଅଭିଯୁକ୍ତ ଶଙ୍କର ଫେରାର ଥିଲା । ଗିରଫଦାରିରୁ ବର୍ତିବା ପାଇଁ ବାରମ୍ବାର ଠିକଣା ବଦଳାଇ ଆସୁଥିଲା । ହେଲେ ତାର ସମସ୍ତ ଗତିବିଧି ଉପରେ ନଜର ରଖିଥିଲା ଦିଲ୍ଲୀ ପୋଲିସ । ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ମୁମ୍ବାଇ ଓ ବେଙ୍ଗାଲୁରୁରେ ଦୁଇଟି ଅଫିସ ରହିଥିଲେ । ଏହି ଦୁଇଟି ଯାକ ଅଫିସରେ ପୋଲିସ ଚଢଉ କରିବା ସ୍ୱତେ ବି ଧରାପଡିନଥିଲା ଶଙ୍କର । ନିଜ ଫୋନକୁ ବି ବନ୍ଦ ରଖୁଥିଲା । ହେଲେ ସୋସିଆଲ ମିଡିଆରେ ସକ୍ରିୟ ଥିଲା । ଆଉ ଏହି ସୋସିଆଲ ମିଡିଆ ଜରିଆରେ ଶଙ୍କରକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ବେଙ୍ଗାଲୁରୁରେ ଭଉଣୀ ଘରେ ଥିବାବେଳେ ସେଠାରେ ପହଁଚି ଶଙ୍କରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ସେପଟେ ଘଟଣାରେ ପୁଅ ଶଙ୍କରର କୌଣସି ଭୁଲ ନଥିବା କହିଛନ୍ତି ଶଙ୍କରଙ୍କ ବାପା ।

ଶଙ୍କର ମିଶ୍ରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେପଟେ ନୁୟର୍କ- ନୂଆଦିଲ୍ଲୀ ବିମାନର ୪ଜଣ କ୍ୟାବିନ୍ କ୍ରୁ ଓ ୨ ଜଣ ପାଇଲଟଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।