ଡାକ୍ତରଙ୍କ ମୁହଁରେ କ୍ୟାନସରେ ପୀଡିତ ୬ବର୍ଷ ପିଲାର କାହାଣୀ । କୁନି ପିଲାଟି ଜାଣିଥିଲା ନିଜ ମୃତ୍ୟୁର କଥା

148

କନକ ବ୍ୟୁରୋ : ଡକ୍ଟର, ମୁଁ ଏହି ରୋଗ ବିଷୟରେ ସବୁକିଛି ଜାଣିଛି । ଆଇପାଡ୍ରେ ପଢିଛି ଏବଂ ଏ କଥା ବି ଜାଣିଛି ଯେ, ମୋ ପାଖରେ ଆଉ ମାତ୍ର ୬ମାସର ସମୟ ଅଛି । ୬ ମାସ ପରେ ମୁଁ ଆଉ ବଂଚିବି ନାହିଁ । ହେଲେ ଏକଥା ମୁଁ ମୋ ବାପା, ମାଆଙ୍କୁ ଜଣାଇବେ ନାହିଁ । ସେମାନେ ଦୁଃଖ କରିବେ । ସେମାନେ ମତେ ବହୁତ ଭଲ ପାଆନ୍ତି । ଦୟାକରି ଏକଥା ସେମାନଙ୍କୁ ଜଣାଇବେ ନାହିଁ..

କିଛି ଏଭଳି କଥା ନିଜ ଡାକ୍ତରଙ୍କୁ କହିଥିଲେ ୬ ବର୍ଷର ମନୁ । ଆଉ ୬ବର୍ଷ ପିଲା ମୁହଁରୁ ଏଭଳି କଥା ଶୁଣି ହତବାକ୍ ହୋଇଯାଇଥିଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁଧିର କୁମାର । କ୍ୟାନସରରେ ପୀଡିତ ୬ବର୍ଷର ମନୁର କାହାଣୀ ଟୁଇଟ ଜରିଆରେ ବଖାଣିଛନ୍ତି ଡାକ୍ତର ସୁଧିର କୁମାର ।

୯ମାସ ପୂର୍ବରୁ ୬ ବର୍ଷର ମନୁର ଚିକିତ୍ସା ପାଇଁ ଡାକ୍ତର ସୁଧିରଙ୍କ ପାଖକୁ ଆସିଥିଲେ ମନୁଙ୍କ ବାପା, ମାଆ । ଡାକ୍ତରଙ୍କୁ ଗୁହାରି କରିଥିଲେ ଯେ, କ୍ୟାନସର ବିଷୟରେ ପୁଅକୁ କିଛି ନଜଣାଇବା ପାଇଁ  । ଆଉ ଡାକ୍ତର ତାଙ୍କ କଥା ମାନି ମନୁଙ୍କ ଚିକିତ୍ସା କରିଥିଲେ । ହେଲେ ଏହି ସମୟରେ ମନୁଙ୍କ କଥା ଶୁଣି ଭାବବିହ୍ୱଳ ହୋଇପଡିଥିଲେ ଡାକ୍ତର ସୁଧିର । ଜଣେ ୬ ବର୍ଷର ପିଲା କିପରି ଏତେ ଧର୍ଯ୍ୟବାନ ହୋଇପାରିବ ସେ ବିଶ୍ୱାସ ବି କରି ପାରିନଥିଲେ । ମନୁ ତାଙ୍କୁ କରିଥିବା ଗୁହାରି ରଖିପାରି ନଥିଲେ ଡାକ୍ତର ସୁଧିର । ଆଉ ମନୁଙ୍କ ବାପା ମାଆଙ୍କୁ ଜଣାଇଥିଲେ ।

ସେଦିନ ମନୁକୁ ଚିକିତ୍ସା କରିବାର ୯ ମାସ ପରେ ହଠାତ୍ ଦିନେ ଡାକ୍ତର ସୁଧିରଙ୍କୁ ଭେଟିବାକୁ ଆସିଥିଲେ ମନୁଙ୍କ ବାପା ମାଆ । ଡାକ୍ତର ଯେତେବେଳେ ମନୁଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରିଥିଲେ, ସେତେବେଳେ ସେମାନେ କହିଥିଲେ –

‘ଧନ୍ୟବାଦ ଡାକ୍ତର । ଆପଣ ସେଦିନ ଯେଉଁଭଳି ଭାବେ ମନୁଙ୍କ କଥା ଆମ ସହ ବାଂଟିଥିଲେ ସେଥିପାଇଁ ଆମେ କୃତଜ୍ଞ । ଆମେ ଏହି ସମୟ ଭିତରେ ଆମ ଜୀବନର ସବୁଠାରୁ ଭଲ ସମୟ ଅତିବାହିତ କରିଛୁ । ମନୁ ସହ ବେଶ ହସଖୁସିରେ ଦିନ କାଟିଛୁ । ମନୁ ସହ ଡିଜନୀଲ୍ୟାଣ୍ଡ ବୁଲିବାକୁ ଗଲୁ । ପ୍ରତିଟି ମୁହୂର୍ତକୁ ଉପଭୋଗ କଲୁ । ଏକ ମାସ ତଳେ ମନୁ ଆମକୁ ଛାଡି ଚାଲିଗଲା । ହେଲେ ଜୀବନ କିପରି ଜିଇଁବା କଥା ତାହା ଶିଖାଇ ଦେଲା ।’

ଏ କାହାଣୀ ହାଇଦ୍ରାବାଦର । ହାଇଦ୍ରାବାଦରେ ଏକ ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ୬ବର୍ଷ ମନୁର ଏହି ପ୍ରେରଣାଦାୟୀ କାହାଣୀ ଲୋକଲୋଚନକୁ ଆଣିଛନ୍ତି । ନିଜ ଟ୍ୱିଟରରେ ମନୁର କାହାଣୀ ବଖାଣିଛନ୍ତି ।