ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି ଦୋହରାଇଲେ ନବୀନ: ସେପଟେ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଲା ବିଜେପି

390

କନକ ବ୍ୟୁରୋ: ନିର୍ବାଚନ ବୈତରଣୀ ପାର ପାଇଁ ବିଜୁଳି ପାଲଟିଛି ବଡ଼ ମୁଦ୍ଦା । ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ପ୍ରତିଶ୍ରୁତି ଦେଇ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚାର ବେଳେ ଏବଂ ଭିଡିଓ ବାର୍ତା ଜରିଆରେ ଏହି ପ୍ରତିଶ୍ରୁତିକୁ ବାରମ୍ବାର ଦୋହରାବା ସହ ରାଜ୍ୟବାସୀଙ୍କ ସମର୍ଥନ ଲୋଡୁଛନ୍ତି । ସେପଟେ ଏହାକୁ ମିଛ ଇସ୍ତାହାର ପ୍ରତିଶ୍ରୁତି କହି ବିଜେଡିକୁ କାଉଂଟର କରିଛି ବିଜେପି । ମାଗଣାରେ କେତେ ବିଜୁଳି ମିଳିବ ବୋଲି ପ୍ରଶ୍ନ କରିଛି ଦଳ ।

ମାଗଣା ବିଜୁଳି ନେଇ ଭିଡିଓ ବାର୍ତା ଜରିଆରେ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ପାଇଁ ସୁବିଧାରେ ଓ ମାଗଣାରେ ବିଜୁଳି ଯୋଗାଇଦେବା ପାଇଁ ନବୀନ ସରକାର ଇସ୍ତାହାର ଜରିଆରେ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ନିର୍ବାଚନ ପ୍ରଚାର ପାଇଁ ଦେବଗଡ଼ ଯାଇଥିବା ନବୀନ, ସେଠୁ ଥାଇ ଭିଡିଓ ବାର୍ତା ଜାରି କରିଛନ୍ତି ।

ମାଗଣା ବିଜୁଳିର ପ୍ରତିଶ୍ରୁତି ଦେଇ ବିଜେଡି କହିଛି-
– ମାସକୁ ୧୦୦ ୟୁନିଟ୍ରୁ କମ୍ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ସଂପୂର୍ଣ୍ଣ ମାଗଣା
– ୧୦୦ରୁ ୧୫୦ ୟୁନିଟ୍ ବ୍ୟବହାର କରୁଥିବା ପରିବାରବର୍ଗ ପାଇଁ ୫୦ ୟୁନିଟ୍ ରିହାତି
– ଗ୍ରାମାଂଚଳରେ ବସବାସ କରୁଥିବା ପାଖାପାଖି ସମସ୍ତ ପରିବାର ଉପକୃତ ହେବେ
– ସାରା ରାଜ୍ୟର ୯୦% ଜନତାଙ୍କୁ ଫଇଦା ହେବ

ଏପଟେ ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି ମିଛ ଇସ୍ତାହାର ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଭିଯୋଗର ଲମ୍ବା ଫର୍ଦ୍ଦ ରଖି କହିଛନ୍ତି-

– ଲୋକଙ୍କୁ ଭ୍ରମିତ କରି ବୋକା ବନାଇବା ପାଇଁ ବିଜେଡି ଉଦ୍ୟମ କରୁଛି
– ପ୍ରଥମେ କୁହାଯାଉଥିଲ ମାଗଣା ବିଜୁଳି, ଏବେ ୧୦୦ ୟୁନିଟ୍ କଥା କୁହାଯାଉଛି
– କେତେ ବିଜୁଳି ଦେବେ ଏବଂ କେତେ ଉପଭୋକ୍ତା ଉପକୃତ ହେବେ ବିଜେଡି ସ୍ପଷ୍ଟ କରୁ
– ଖରାଦିନେ ବିଜୁଳି ଚାହିଦା ବଢ଼ିବ, ସେହି ସମୟରେ କେତେ ମାଗଣା ବିଜୁଳି ଦେବେ?
ବୋଲି ସମୀର ମହାନ୍ତି ପ୍ରଶ୍ନ ଉଠାଇଛନ୍ତି ।

ବଡ଼ କଥା ହେଉଛି, ଯେଉଁ ମାଗଣା ବିଜୁଳ ପ୍ରସଙ୍ଗରେ ବିଜେପି, ବିଜେଡି ଉପରେ ବର୍ଷିୁଛି, ସେଇ ମାଗଣା ବିଜୁଳି କଥା ବିଜେପି ମଧ୍ୟ ନିଜ ଇସ୍ତାହାରରେ ରଖିଛି । ଅବଶ୍ୟ, ତାହା ସୌରଶକ୍ତି । ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତିର ବିଜୁଳି ଶକ୍ତିର ପ୍ରତିଶ୍ରୁତି ଦେଇଛି ବିଜେପି ।