ନିର୍ବାଚନ ପ୍ରଚାରବେଳେ ନେତା ହଟହଟା: ଚମ୍ପୁଆରେ ପ୍ରଚାର ବେଳେ ସନା ମହାକୁଡ଼ଙ୍କୁ ପିନ୍ଧାଇଲେ ଚପଲ ମାଳ, କବିସୂର୍ଯ୍ୟନଗରରେ ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନଙ୍କ ପ୍ରଚାରବେଳେ ହଙ୍ଗାମା

319

କନକ ବ୍ୟୁରୋ: ନିର୍ବାଚନ ବେଳେ ନେତା ଗାଁ ମୁହାଁ ହୋଇଛନ୍ତି । ଭୋଟ ଦେଇ ପୁଣି ଥରେ ସୁଯୋଗ ଦେବାକୁ ଅପିଲ କରୁଛନ୍ତି । କିନ୍ତୁ ଏହାରି ଭିତରେ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି କେତେକ ରୋଚକ ଖବର । କେଉଁଠି ନେତା ହଟହଟା ହେଉଛନ୍ତି ତ ଆଉ କେଉଁଠି ଦଳୀୟ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମହିଳା । ସେହି ସବୁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କେନ୍ଦୁଝରରୁ ଆସିଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀ ସନା ମହାକୁଡ ପ୍ରଚାର କରିବାକୁ ଯାଇଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ଜୋତା ମାଳ ପିନ୍ଧାଇ ଦେଉଛନ୍ତି । ଏମିତିକି ସନାଙ୍କୁୁ ଗାଁକୁ ଆସିବାକୁ ବାରଣ କରୁଛନ୍ତି । ଚମ୍ପୁଆ ନିର୍ବାଚନ ମଣ୍ଡଳୀର ମିରିଗିସିଂଘା ଗାଁକୁ ପ୍ରଚାରରେ ଯାଇଥିବାବେଳେ ସନାଙ୍କୁ ଏପରି ହଟହଟା ହେବାକୁ ପଡିଥିଲା ବୋଲି କୁହାଯାଉଛି ।

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନଙ୍କ ପ୍ରଚାର କରିବାକୁ ଯାଇଥିବାବେଳେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଛି । ମଂଗଳବାର ରାତିରେ ବେଗୁନିଆପଡା ଠାରେ ପ୍ରଚାର ବେଳେ ହଙ୍ଗାମା ହୋଇଛି । ଦୁଇ ପକ୍ଷ ବେଗୁନିଆପଡା ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ, ଲତିକା ପ୍ରଧାନଙ୍କ ପ୍ରଚାର ବେଳେ ବିଜେପିରୁ ଦୁଇ ଜଣ ମହିଳା ଓ କିଛି ପୁରୁଷ ପ୍ରଚାର ଗାଡି ଅଟକାଇଥିଲେ । ତାପରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରଜଂଗ ନିର୍ବାଚନମଣ୍ଡଳୀର ମାକୁଆପାଟେଣୀ ପଂଚାୟତ ଖଜୁରିଆ ଗାଁରେ ପ୍ରଚାର କରୁଥିବାବେଳେ ବିଧାୟକ ପ୍ରାର୍ଥୀ ନୃସିଂହ ସାହୁଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଉପସ୍ଥିତ ଥିବା ଖଜୁରିଆ ଗାଁର ଭୋଟରମାନେ ଦୀର୍ଘ ୨୫ବର୍ଷ ବିକାଶର ହିସାବ ମାଗିଛନ୍ତି । ଗାଁର କୌଣସି ବିକାଶ ହୋଇନଥିବା ଅଭିଯୋଗ କରିଛନ୍ତି । ଯାହାଫଳରେ କିଛି ସମୟ ପାଇଁ ସେଠାରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।