କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତୀ ମୁଖ୍ୟ ପ୍ରଶିକ୍ଷକ? । ଷ୍ଟିଫେନ୍ ଫ୍ଲେମିଂ, ଜଷ୍ଟିନ ଲାଙ୍ଗରଙ୍କୁ ନେଇ ଚର୍ଚ୍ଚା, ଦୌଡ଼ରେ ଭିଭିଏସ ଲକ୍ଷ୍ମଣ ଓ ଗୌତମ ଗମ୍ଭୀର

343

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ପରବର୍ତୀ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ନେଇ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ରାହୁଲ ଦ୍ରାବିଡ ଚାହିଁଲେ ପୁଣିଥରେ ଆବେଦନ କରିପାରିବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଥିବା ବେଳେ ରାହୁଲ ମନା କରିଥିବା ଜଣାପଡିଛି । ସେପଟେ ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ତଥା ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଏବଂ ଅଷ୍ଟ୍ରେଲିଆ କୋଚ୍ ଜଷ୍ଟିନ ଲାଙ୍ଗରଙ୍କ ନାଁକୁ ନେଇ ଚର୍ଚ୍ଚା ବଢିଛି । ଏପରି ହେଲେ ଦୀର୍ଘ ୯ବର୍ଷ ପରେ ଭାରତୀୟ ଟିମକୁ ବିଦେଶୀ କୋଚ୍ ମିଳିପାରନ୍ତି । ଅନ୍ୟପଟେ ନ୍ୟାସନାଲ କ୍ରିକେଟ୍ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣ ଓ ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ମଧ୍ୟ ଏହି ରେସରେ ଆଗରେ ରହିଛନ୍ତି ।

ଷ୍ଟିଫେନ୍ ଫ୍ଲେମିଂ
ଷ୍ଟିଫେନ୍ ଫ୍ଲେମିଂ ୨୦୦୯ରୁ ଆଇପିଏଲ ଟିମ୍ ସିଏସକେର ମଙ୍ଗ ଧରିବା ସହ ଦଳକୁ ୫ଥର ଚମ୍ପିୟାନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ ସିଏସକେର ଦୁଇ ବିଦେଶୀ ଫ୍ରାଚାଇଜି ଜୋବର୍ଗ ସୁପର କିଙ୍ଗ୍ସ ଓ ଟେକ୍ସାସ ସୁପର କିଙ୍ଗ୍ସର ପ୍ରଶିକ୍ଷକ ଦାୟିତ୍ୱ ମଧ୍ୟ ତୁଳାଉଛନ୍ତି । ଶାନ୍ତ ସ୍ୱଭାବ ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିରେ ସଫଳ ରଣନୀତି ପ୍ରସ୍ତୁତ କରିବାରେ ବେଶ ମାହିର ନ୍ୟୁଜିଲାଣ୍ଡର ଏହି ପୂର୍ବତନ ଖେଳାଳି ।

ଜଷ୍ଟିନ୍ ଲାଙ୍ଗର
ଏହି ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳିଙ୍କ ପାଖରେ ୧୦୫ଟି ଟେଷ୍ଟ ଓ ୮ଟି ଏକ ଦିବସୀୟ ମ୍ୟାଚ ଖେଳିବାର ଅଭିଜ୍ଞତା ରହିଛି । ଜଷ୍ଟିନ ଲାଙ୍ଗର ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ରହିଥଲେ । ତାଙ୍କ ତତ୍ତ୍ୱାବଧାନରେ ଦଳ ୨୦୨୧ରେ ଟି-୨୦ ବିଶ୍ୱକପ୍ ହାତେଇବାରେ ସକ୍ଷମ ହୋଇଥିଲା ।

ଭିଭିଏସ ଲକ୍ଷ୍ମଣ
ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ତଥା ପୂର୍ବତନ ଭାରତୀୟ ଖେଳାଳି ଭିଭିଏସ ଲକ୍ଷ୍ମଣ ମଧ୍ୟ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି । ପୂର୍ବରୁ ଲକ୍ଷ୍ମଣ ଭାରତୀୟ ‘ଏ’ ଟିମ୍ ଏବଂ ୧୯ ବର୍ଷରୁ କମ୍ ଭାରତୀୟ ଦଳର ଦାୟିତ୍ୱ ନେବା ସହିତ ଦ୍ରାବିଡଙ୍କ ଅନୁପସ୍ଥିତିରେ ସିନିୟର ଟିମର କୋଚ ଭାବେ ମଧ୍ୟ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହା ବ୍ୟତୀତ ଦଳୀୟ ଖେଳାଳିଙ୍କ ସହ ମଧ୍ୟ ତାଙ୍କର ଉତ୍ତମ ସମ୍ପର୍କ ରହିଛି ।

ଗୌତମ ଗମ୍ଭୀର
ଦୀର୍ଘ ବର୍ଷ ଧରି ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିବା ଏହି ପୂର୍ବତନ ଖେଳାଳି ୨୦୧୧ ଓ ୨୦୧୫ ବିଶ୍ୱକପ୍ ଦଳର ମଧ୍ୟ ସଦସ୍ୟ ରହି ସାରିଛନ୍ତି । ଏହା ବ୍ୟତୀତ ଗମ୍ଭୀର ଆଇପିଏଲ ଟିମ୍ କୋଲକାତାକୁ ମଧ୍ୟ ଦୁଇଥର ଚମ୍ପିୟାନ କରାଇବା ସହିତ ଚଳିତ ବର୍ଷ ଦଳର ମେଂଟର ଭାବେ କାର୍ଯ୍ୟ ତୁଲାଉଛନ୍ତି ।

ଟିମ୍ ଇଣ୍ଡିଆର ପରବର୍ତୀ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଏହି ୪ ମହାରଥୀଙ୍କ ବ୍ୟତୀତ ଅନ୍ୟ କିଛି ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ମେ ୨୭ ତାରିଖ ଆବେଦନର ଶେଷ ତାରିଖ ରହିଥିବା ବେଳେ ଆଗକୁ କିଏ ଟିମ୍ ଇଣ୍ଡିଆର ମଙ୍ଗ ଧରୁଛି ଦେଖିବାକୁ ବାକି ।