କଳାହାଣ୍ଡି : ବିଳମ୍ବରେ ମଣ୍ଡି ଯୋଗୁଁ କପା ଚାଷୀ ଅଭାବି ବିକ୍ରୀର ଶିକାର

46

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ କପା ଚାଷ କରି ଭାରତରେ ସୁନାମ ଅର୍ଜନ କରିଥିବା ଚାଷିଙ୍କ ଦୁର୍ଦ୍ଦଶା ଏବେ ସମସ୍ୟାର କାରଣ ପାଲଟିଛି । ବ୍ୟୟବହୁଳ ଏହି ଚାଷ କରି କପା ଅମଳ କରି ଘରକୁ ନେଇଥିଲେ ମଧ୍ୟ କପା ବିକ୍ରୀ କରିପାରୁନାହାଁନ୍ତି ଚାଷୀ । ଧାର କରଜ କରି ଏହି ଅର୍ଥକାରୀ ଫସଲ କରିଥିଲେ ମଧ୍ୟ ମଣ୍ଡି ନହେବା ଯୋଗୁଁ ଚାଷି କପା ବିକ୍ରୀ କରିପାରୁନାହାଁନ୍ତି । ଫଳରେ କମ ଦରରେ ଦଲାଲ ମାନଙ୍କୁ କପା ବିକ୍ରୀ କରି ଶୋଷଣର ଶିକାର ହେଉଛନ୍ତି ।

ବିଳମ୍ବିତ ମଣ୍ଡି ଯୋଗୁଁ ଜିଲ୍ଲାରୁ ପ୍ରତିଦିନ ହଜାର ହଜାର କ୍ୱିଂଟାଲ କପା କମ ଦରରେ କିଣା ହୋଇ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଛି । ଏହା ଦ୍ୱାରା ଚାଷୀ ତ ଶୋଷଣର ଶିକାର ହେଉଛି ତାହା ସାଙ୍ଗରେ ସରକାର ମଧ୍ୟ ରାଜସ୍ୱ ହରାଉଛନ୍ତି । ଚାଷୀ ନିଜ କପାକୁ କମ ଦରରେ ବିକ୍ରୀ ହେଉଥିବା କଥା ଜାଣୁଥିଲେ ମଧ୍ୟ ପ୍ରଶାସନ କପା ବିକ୍ରୀ ନେଇ ପଦକ୍ଷେପ ନନେବାରୁ ଦଲାଲଙ୍କ ହାତରେ କମ ଦରରେ କପା ବିକ୍ରୀ କରିବାକୁ ବାଧ୍ୟ ହେଉଛି । ଅନ୍ୟପଟେ ୨୪ ତାରିଖରୁ ମଣ୍ଡି ଆରମ୍ଭ ହେବ ଆଉ ଚାଷୀ ମଣ୍ଡିରେ କପା ବିକିବେ ବୋଲି କପା ବିଶେଷଜ୍ଞ ଦୃଢୋକ୍ତି ପ୍ରକାଶ କରିଥିଲେ ସୁଦ୍ଧା ଏଯାଏଁ ମଣ୍ଡି ପାଇଁ କିଛି ବ୍ୟବସ୍ଥା ହୋଇନାହି ।

ତେବେ ବିଭିନ୍ନ ସମୟରେ ଚାଷୀଙ୍କ ପାଇଁ କୁମ୍ଭିର କାନ୍ଦଣା କରୁଥିବା ସରକାର କପା ବିକ୍ରୀ ନେଇ ପଦକ୍ଷେପ ନନେଲେ ବରଗଡ ଭଳି ଚାଷୀ ଆତ୍ମହତ୍ୟା ଘଟଣାକୁ ଏଡାଇ ଦିଆଯାଇନପାରେ ।