କେନ୍ଦ୍ର ଜଳ କମିସନଙ୍କ ଉଚ୍ଚସ୍ତରୀୟ ବୈଠକରେ ବର୍ଷିଲେ ସାଂସଦ ସୁବାସ ସିଂହ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପାତର ଅନ୍ତର ଅଭିଯୋଗ ଆଣି ତୀବ୍ର ଅସନ୍ତୋଷ ପ୍ରକାଶ କଲେ

କହିଲେ ଛତିଶଗଡର ଦାବି ଶୁଣୁଛନ୍ତି କମିସନ, ଓଡିଶାକୁ କରାଯାଉଛି ଅଣଦେଖା  

87

କନକ ବ୍ୟୁରୋ : କେନ୍ଦ୍ର ଜଳ କମିସନ୍ ଉଚ୍ଚସ୍ତରୀୟ ବୈଠକରେ ମହାନଦୀ ପ୍ରସଙ୍ଗରେ ଛତିଶଗଡ ଉପରେ ବର୍ଷିଛନ୍ତି ରାଜ୍ୟ ସଭା ସାଂସଦ ସୁବାସ ସିଂହ । ସଂସଦ ଭବନ ଆନେକ୍ସରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଛତିଶଗଡର ଷଡଯନ୍ତ୍ରକୁ ନେଇ ତୀବ୍ର ପ୍ରତିବାଦ କରିଛନ୍ତି । ଏଥିସହ ଛତିଶଗଡ କଥାକୁ ଜଳ କମିସନ ଗୁରୁତ୍ୱ ଦେଉଥିବା ବେଳେ ଓଡିଶା କଥାକୁ କାହିଁକି ଭୁଲି ଯାଉଛନ୍ତି ବୋଲି ପ୍ରଶ୍ନ ଉଠାଉଛନ୍ତି ରାଜ୍ୟସଭା ସାଂସଦ ।

ହୀରାକୁଦ ଜଳଭଣ୍ଡାରର ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ଛତିଶଗଡର ଚାଷଜମିରେ କୋଟି କୋଟି ଟଙ୍କାର ଫସଲ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ଆସିଛି । ଏନେଇ ଓଡିଶା ଜଳସଂପଦ ବିଭାଗକୁ କୈଫୟତ ମାଗି ଚିଠି ଲେଖିଛି ସେଂଟ୍ରାଲ ୱାଟର କମିସନ୍ । ଯାହାକୁ ତୀବ୍ର ବିରୋଧ କରିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ । ଅଣ-ମୌସୁମୀ ସମୟରେ ଓଡିଶା ମହାନଦୀରେ ଜଳସ୍ରୋତ ହ୍ରାସ ପାଇବା ସଂପର୍କରେ କାହିଁକି ଛତିଶଗଡକୁ ଚିଠି ଲେଖାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ ସାଂସଦ ସୁବାସ ସିଂହ । ଏହାଛଡା ଛତିଶଗଡ ଶହ ଶହ ଚେକଡ୍ୟାମ ଓ ନଦୀବନ୍ଧ ପ୍ରକଳ୍ପ ଚାଲିଥିବା ବେଳେ କେନ୍ଦ୍ର ଜଳ କମିସନ ଓଡିଶାକୁ କାହିଁକି ଅନ୍ଧାରରେ ରଖୁଛନ୍ତି ।

ଏହାର ଉତର ସିଡବ୍ଲୁସି ଦେବା ନିହାତି ଜରୁରୀ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ । ବୈଠକରେ ସମସ୍ତ ଉଚ୍ଚ ଅଧିକାରୀଙ୍କ ସମେତ କେନ୍ଦ୍ର ଜଳ ସଂପଦ କମିଶନର ଉପସ୍ଥିତ ଥିଲେ ।  ଟ୍ରିବ୍ୟୁନାଲର ବୈଠକ ୩୯ ଥର ବସିଥିବା ବେଳେ ଏଭଳି ଚିଠି ଓଡିଶାକୁ ଦେବା ଠିକ୍ ନୁହେଁ, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଲିଖିତ ଭାବେ ସଠିକ ବିବରଣୀ ଦେବାକୁ ସାଂସଦ ଦାବି କରିଛନ୍ତି ।