ଜଳ ଦେଉଛି ଯନ୍ତ୍ରଣା । ୪ଦିନର ବର୍ଷାରେ ବେହାଲ ସାରା ଓଡିଶା । କେଉଁଠି ଗାଡି ଭାସୁଛି ତ କେଉଁଠି ବୁଡି ଯାଇଛି ଯାତ୍ରାପାର୍ଟି ଟେଣ୍ଟ

114

କନକ ବ୍ୟୁରୋ : ପାଣି ଭିତରେ ଥାଇ ଶୋଷିଲା, ଆଉ ଖାଦ୍ୟ ସାମଗ୍ରୀ ଥାଇ ଭୋକିଲା ରହିବାର କଷ୍ଟ ସିଏ ବୁଝିଛି, ଯିଏ ବନ୍ୟା ବିପର୍ଯ୍ୟୟକୁ ଅତିନିକଟରକୁ ଦେଖିଛି । ତାହା ହୋଇନଥିଲେ, କାହାକୁ ବା’ ଭଲ ଲାଗେ, ରାସ୍ତାକଡ଼ରେ ଯାଯାବରଙ୍କ ଭଳି ଦୁଇ ଓଳି ଖାଇବାକୁ । ଭୋକରେ ଯେତେବେଳେ ପେଟ ପୋଡ଼ି ଯାଉଛି, କୁନି କୁନି ପିଲାଙ୍କ ମୁହଁ ଚାହିଁ, ଜାଗା-ଅଜାଗା ଦେଖୁ ନାହାଁନ୍ତି ବନ୍ୟା ବିପନ୍ନ । ଏଭଳି ଦାରୁଣ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ।

ଜଳବନ୍ଦୀରୁ ମୁକ୍ତି ପାଇବା ପାଇଁ ଏଠି ବାଜିରେ ଲାଗୁଛି ଜୀବନ । ହଣ୍ଡା ଭିତରେ ବନ୍ୟା ପ୍ରଭାବିତ ଅଂଚଳରୁ ପିଲାଙ୍କୁ ଉଦ୍ଧାର କରାଯାଉଛି । ଘର ଥାଉ, ସାମଗ୍ରୀ ଯାଉ ଜୀବନଟା ଅନ୍ତତଃ ବଂଚିଯାଉ । ଏମିତି କାମନା କରି ଗାଁ ଛାଡ଼ି ବାହାରି ଆସୁଛନ୍ତି ବାଲେଶ୍ୱର ଜିଲ୍ଳା ସୋରର ବନ୍ୟା ପ୍ରଭାବିତ ଲୋକ ।

ଜ୍ୱରରେ କମ୍ପୁଛି କୁନି ପୁଅ । ଡାକ୍ତରଖାନା ବଂଚିବା ପାଇଁ ରାସ୍ତା ନାହିଁ । ଚାରିଆଡ଼େ ବନ୍ୟାଜଳ । ଏଭଳି ସ୍ଥିତିରେ ଏକ କାଠ ଡଙ୍ଗା ଜରିଆରେ ଜ୍ୱରରେ ପୀଡ଼ିତ ଛୁଆକୁ ଧରି ବିପଦ ସଂକୁଳ ଜଳଯାତ୍ରାରେ ବାହାରିଛନ୍ତି ବାପା । ପାଣିର ଭୟାବହ ରୂପ ଦେଖି ମଙ୍ଗୁନଥିଲେ ନାଉରିଆ । ହେଲେ ଅସହାୟ ବାପାର ନେହୁରା ଆଗରେ ହୃଦୟ ତରଳିଗଲା । ଜଳ ବିଭିଷିକା ମଧ୍ୟରେ ଏଭଳି କରୁଣା କାହାଣୀ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ  ।

ବୈତରଣୀର ସୂଅ ଆଗରେ ତାସ୍ ପତା ଭଳି ଝଡ଼ିପଡୁଛି ଘର । ବନ୍ୟା ପାଣି ଆଗରେ ମାଟିଘରର ସାମର୍ଥ୍ୟ ବା’ କେତେ । କିଛି ସମୟ ସଂଘର୍ଷ କରିବା ପରେ ମୁଣ୍ଡ ନୂଆଁ ଦେଇଛି ଏହି ମାଟି ଘର । ପାଣିରେ ନିଶ୍ଚିନ୍ନ ହେବା ଅପେକ୍ଷାରେ ଥିବା ଘରଟି ହେଉଛି ଭଦ୍ରକ ଜିଲ୍ଲା ରାମଚନ୍ଦ୍ରପୁର ବ୍ଲକ୍ ସୁବାଷ ଜେନାଙ୍କର ।

ବନ୍ୟାର ବିପର୍ଯ୍ୟୟରୁ ମଣିଷ ତ’ ମଣିଷ, ଠାକୁରଙ୍କ ମଧ୍ୟ ବର୍ତିପାରିନାହାଁନ୍ତି । ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପ୍ରବେଶ କରିଛି ବନ୍ୟାଜଳ । ମନ୍ଦିର ବେଢ଼ା ଓ ଗର୍ଭଗୃହରେ ମହାନଦୀର ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ମା’ଙ୍କ ବିଗ୍ରହଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ।

ବନ୍ୟାପାଣି ଉବୁଟୁବୁ କାର୍ । ପାଣିରେ ଫସି ରହିଥିବା ଏହି ଚିତ୍ର ଆସିଛି କଟକରୁ । ବନ୍ୟାପାଣିରେ ଫଶି ରହିଥିବା ଗାଡ଼ିକୁ ଠେଲି ଠେଲି ବାହାର କରିବାକୁ ଉଦ୍ୟମ କରୁଛନ୍ତି କିଛି ସ୍ଥାନୀୟ ଲୋକେ ।

ସେପଟେ ପାଣିରେ ବୁଡି ଯାଇଛି ଯାତ୍ରା ପାର୍ଟି ଟେଂଟ । ଭଦ୍ରକରେ ଯାତ୍ରା ପରିବେଷଣ ପାଇଁ ଏକ ଯାତ୍ରା ଟେଂଟ ବନ୍ଧା ସରିଥିଲା । ଚେୟାର ମଧ୍ୟ ପଡିସାରିଥିଲା । ଏବେ ଚେୟାର ପଡିଥିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ବର୍ଷାରେ ସ୍ଥିତି ସଙ୍ଗୀନ ହେବା ପରେ ଶେଷ ଯାତ୍ରା ପାର୍ଟି କର୍ମଚାରୀ ପାଣିରେ ଜିନିଷ ପତ୍ର ବୋହି ନେଉଥିବା ଦେଖିବାକୁ ମିଳିଛି ।