ଗୁଜୁରାଟରେ ବିଜେପିକୁ ଝଟକା: ୬ ଥର ବିଧାୟକ ହୋଇଥିବା ମଧୁ ଶ୍ରୀବାସ୍ତବଙ୍କ ସମେତ ୪ ପୂର୍ବ ବିଧାୟକଙ୍କ ଇସ୍ତଫା

244

କନକ ବ୍ୟୁରୋ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ଏହାପରେ ଦଳକୁ ଲାଗିଛି ବଡ ଝଟକା । କାରଣ ଟିକେଟ ନମିଳିବା ନେଇ ବିଧାୟକ ମଧୁ ଶ୍ରୀବାସ୍ତବଙ୍କ ସମେତ ୪ଜଣ ପୂର୍ବ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଏମାନେ ଦଳରୁ ବାହାରି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଧମକ ଦେଇଛନ୍ତି ।

ବିଜେପିର ପୂର୍ବତନ ବିଧାୟକ ତଥା ପାର୍ଟିର ଜଣାଶୁଣା ନେତା ହର୍ଷଦ ବସାବା ଶୁକ୍ରବାର ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ସନ୍ଦୋଦ୍ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବସାବା ଗୁଜୁରାଟ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଅଛନ୍ତି । ସେ ୨୦୦୨ରୁ ୨୦୧୨ ଯାଏଁ ବିଧାୟକ ଥିଲେ । ଏବେ ସେ ଯେଉଁ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେ ଆସନରେ କଂଗ୍ରେସର ଦବଦବା ରହିଛି । ଏହି ଅସନରୁ ବିଜେପି ଡାକ୍ତର ଦର୍ଶନା ଦେଶମୁଖଙ୍କୁ ପ୍ରାର୍ଥୀ କରିଛି ।

କହିରଖୁଁ, ଗୁଜୁରାଟର ବିଧାନସଭା ନିର୍ବାଚନର ୧୮୨ ଆସନ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ କରାଯିବ । ଡିସେମ୍ବର ପହିଲାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବାବେଳେ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ ।